ଓଡିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ : କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଅସିତ୍ ତ୍ରିପାଠୀ

537

କନକ ବ୍ୟୁରୋ : ଓଡିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜୀବ ଭୂଷଣଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ବିହାର ଭଳି ଅନ୍ୟ ରାଜ୍ୟରେ ମଧ୍ୟ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହୋଇଥିବା ଦର୍ଶାଇ ଓଡିଶାର ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ସେ ଦାବି କରିଛନ୍ତି । ମେଡିକାଲ ପ୍ରତିଷ୍ଠା ପାଇଁ ସୁନ୍ଦରଗଡରେ ଥିବା ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା ରହିଥିବା ଚିଠିରେ ଉଲେଖ କରାଯାଇଛି ।

ଚିଠିରେ ମୁଖ୍ୟ ଶାସନସଚିବ ‌ଲେଖିଛନ୍ତି ଯେ, ବିହାରରେ ଦ୍ୱିତୀୟ ଏମ୍ସ ହେବା ସହ ଅନ୍ୟ ରାଜ୍ୟରେ ଦ୍ୱିତୀୟ ଏମ୍ସ ତିଆରି ପ୍ରସ୍ତାବ ବିଚାରଧୀନ ରହିଛି । ତେଣୁ ଓଡ଼ିଶ‌ାରେ ସ୍ୱାସ୍ଥ୍ୟ ସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା କଥା ବିଚାର ହେଉ । ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେଲେ ସ୍ଥାନୀୟ ଆଦିବାସୀ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ । ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ରହିଛି । ରାଜ୍ୟ ସରକାର ଓ ଏନଟିପିସି ସହଭାଗିତାରେ ୫୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।  ଏଠାରେ ୧୦୦ ଏମବିବିଏସ ଛାତ୍ର-ଛାତ୍ରୀଙ୍କ ପଢ଼ିବା ନେଇ ଭିତ୍ତିଭୂମି ରହିଥିବା ସହ ରେଳ ଏବଂ ବିମାନ ଯୋଗାଯୋଗ ସୁବିଧା ରହିଛି ବୋଲି ସେ ଲେଖିଛନ୍ତି । ଏ ସବୁ ସୁବିଧ‌ା ଥିବା କଥା କହି ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।