ଦିଲ୍ଲୀରେ ପ୍ରଦୂଷଣ ନେଇ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ସତ୍ୟପାଠ : କହିଲେ, କୋଭିଡ ଯୋଗୁଁ ପ୍ରଭାବିତ ହୋଇଛି କାମ; ଏବେ ସମ୍ଭବ ନୁହେଁ ୱାର୍କଫ୍ରମ୍ ହୋମ

ନିର୍ମାଣ କାମ ବନ୍ଦ ହେବା ବିରୋଧରେ ସୁପ୍ରିମକୋର୍ଟରେ ମାମଲା

168

କନକ ବ୍ୟୁରୋ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି କେନ୍ଦ୍ର । ୩୯୨ ପୁଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଜଣାଇଛି ଯେ ସରକାରୀ କର୍ମଚାରୀ ୱାର୍କଫ୍ରମ୍ ହୋମ୍ ଦ୍ୱାରା ବିଶେଷ କିଛି ଫାଇଦା ହେବ ନାହିଁ । କୋଭିଡ ଯୋଗୁଁ ବିଭିନ୍ନ ସରକାରୀ କାମ ପ୍ରଭାବିତ ହୋଇଛି । ଏଣୁ ଏବେ ୱାର୍କଫ୍ରମ୍ ହୋମ୍ କରିବା ସମ୍ଭବ ନୁହେଁ ।

ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହେବ । ଏହା ପୂର୍ବରୁ କେନ୍ଦ୍ର ସତ୍ୟପାଠ ଦାଖଲ କରିଛି । ଗତ ସୋମବାର ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ବାୟୁ ପ୍ରଦୂଷଣ ରୋକିବାକୁ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଆଲୋଚନା ପାଇଁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ ଆଜି ବି ଅତି ଖରାପ ସ୍ତରରେ ରହିଛି ଦିଲ୍ଲୀର ପ୍ରଦୂଷଣ । ଆଜି ଏୟାର କ୍ୱାଲିଟି ଇନଡେକ୍ସନ ବା ଏକ୍ୟୁଆଇ ୩୭୯ ରେକର୍ଡ କରାଯାଇଛି ।

ସେପଟେ ଦିଲ୍ଲୀ ପ୍ରଦୂଷଣ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଂଟ । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ଫଳରେ ଏବେ କୋଭିଡ୍ ସମୟ ପରେ ଶିକ୍ଷାନୁଷ୍ଠାନ ଗୁଡିକରେ ପୁଣି ଥରେ ଅନ୍ଲାଇନରେ ପାଠ ପଢା ହେବ । ସେହିପରି ୨୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀକୁ ଟ୍ରକ୍ ପ୍ରବେଶ ଉପରେ ବ୍ୟାନ୍ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡିକୁ ଅନୁମତି ମିଳିବ ।

୧୦ରୁ ୧୫ ବର୍ଷର ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡି ଗୁଡିକର ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି । ୨୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଉତରପ୍ରଦେଶରେ ଅଫିସ୍ ଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି । ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାମ ବନ୍ଦ ରହିବ । ରେଲୱେ, ମେଟ୍ରୋ, ଏୟାରପୋର୍ଟ, ବସ୍ ଷ୍ଟାଣ୍ଡରେ ହେବାକୁ ଥିବା ନିର୍ମାଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ସେପଟେ ପ୍ରଦୂଷଣ ରୋକିବାକୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକରେ କେନ୍ଦ୍ର ସରକାରଙ୍କ ସମେତ ଦିଲ୍ଲୀ, ଉତରପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ପଞ୍ଜାବର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ରାଜଧାନୀ ଅଂଚଳର ସମସ୍ତ ନିର୍ମାଣ ଓ ଶିଳ୍ପ କାର୍ଯ୍ୟ ସାମୟିକ ଭାବେ କିଛି ଦିନ ପାଇଁ ନିଷିଦ୍ଧ କରିବାକୁ ଦିଲ୍ଲୀ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।