କନକ ବ୍ୟୁରୋ: ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତିକୁ ନେଇ ବିବାଦ । ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରା ସୁପ୍ରିମକୋର୍ଟର ଜଜ ଭାବେ ନିଯୁକ୍ତିକୁ ମଂଜୁରି ମିଳିବା ପରେ ଏହାକୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଉତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏମ୍ ଜୋସେଫଙ୍କ ପଦୋନ୍ନତି ଉପରେ ରୋକ ଲାଗିବାକୁ ନେଇ ଟୁଇଟ କରି ପ୍ରଶ୍ନ ପଚାରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ । ସେ ଲେଖିଛନ୍ତି ଇନ୍ଦୁ ମାଲହୋତ୍ରା ସୁପ୍ରିମକୋର୍ଟର ଜଜ୍ ଭାବେ ଶପଥ ନେବା ନେଇ ସେ ଖୁସି ।
କିନ୍ତୁ ଜଷ୍ଟିସ ଜୋସେଫଙ୍କ ନିଯୁକ୍ତିକୁ ମଂଜୁରି ନ ମିଳିବା ଘଟଣା ନେଇ ସେ ନିରାଶ ବୋଲି ଉଲ୍ଲେଖ କରିଛନ୍ତି । କଲେଜିୟମ ସୁପାରିଶକୁ ଗ୍ରହଣ କରି ଇନ୍ଦୁ ମାଲହୋତ୍ରାଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଇଥିବା ବେଳେ ଯୋଶେଫଙ୍କ ନିଯୁକ୍ତି ସୁପାରିଶକୁ ଗ୍ରହଣ କରିନାହାନ୍ତି କେନ୍ଦ୍ର ସରକାର । ବରଂ କଲେଜିୟମର ସୁପାରିଶକୁ ଫେରାଇ ଦେବା ସହ ବରିଷ୍ଠତା ଭିତିରେ ଜଷ୍ଟିସ ଯୋଶେଫଙ୍କ ନିଯୁକ୍ତି ସୁପାରିଶକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ସରକାର ସଫେଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତିକୁ କଂଗ୍ରେସ ଓ ସୁପ୍ରିମକୋର୍ଟ ବାର ଆସୋସିଏସନ୍ ବିରୋଧ କରିଛନ୍ତି । ସେପଟେ କିନ୍ତୁ ପ୍ରଧାନ ବିଚାରପତି ଦିପକ ମିଶ୍ର କହିଛନ୍ତି ଏଭଳି ସୁପାରିଶ ଫେରାଇବାକୁ କେନ୍ଦ୍ରର ଅଧିକାର ରହିଛି ।
କେନ୍ଦ୍ର ସରକାରଙ୍କ କହିବା ମୁତାବକ, କଲେଜିୟମ ଜଷ୍ଟିିସ୍ ଯୋଶେଫଙ୍କ ନାମ ସୁପାରିସ କରିବା ପୂର୍ବରୁ ବରିଷ୍ଠତା ଓ ସ୍ଥାନୀୟ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇନାହାନ୍ତି। ବରିଷ୍ଠତା ଆଧାରରେ ୬୬୯ ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ଯୋଶେଫଙ୍କ ସ୍ଥାନ ୪୨ରେ ଥିବାରୁ କେନ୍ଦ୍ର ସରକାର ଏହାକୁ ଖାରଜ କରିଥିବା ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ କଲେଜିୟମ ସୁପାରିସକୁ ଗ୍ରହଣ କଲେ ଏହା ବରିଷ୍ଠ ବିଚାରପତିଙ୍କ ପ୍ରତି ଅନ୍ୟାୟ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।
କଲେଜିୟମ ସୁପାରିସକୁ ଫେରାଇବା ନେଇ ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସମର୍ଥନ ରହିଥିବା କେନ୍ଦ୍ର ସରକାର କହିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ୨୦୧୬ରେ କେନ୍ଦ୍ର ସରକାର ଉତ୍ତରାଖଣ୍ଡରେ ଜାରି କରିଥିବା ରାଷ୍ଟ୍ରପତି ଶାସନକୁ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏମ. ଯୋଶେଫ ବେଆଇନ ଘୋଷଣା କରିଦେଇଥିଲେ। ତେଣୁ ସରକାର ଆକ୍ରୋଶମୂଳକ ଭାବେ ସୁପ୍ରିମକୋର୍ଟରେ ତାଙ୍କ ନିଯୁକ୍ତି ସୁପାରିସକୁ ଫେରାଇ ଦେଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୧୦ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ଆଇନ୍ଜୀବୀ ଇନ୍ଦୁ ମାଲହୋତ୍ରା ଓ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏମ୍. ଯୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/indu-malhotra-k-m-joseph.jpg)