କରୋନା ମୁକାବିଲାରେ ଦେଶକୁ ଦିଲ୍ଲୀ ଦେଖାଇବ ବାଟ: ଲାଗୁ ହୋଇପାରେ ଦିଲ୍ଲୀ ମଡେଲ, କାଲି ବିଭିନ୍ନ ରାଜ୍ୟର ଅଧିକାରୀଙ୍କ ସହ କେନ୍ଦ୍ର ସଚିବଙ୍କ ଆଲୋଚନା

ସୁସ୍ଥତାରେ ଜାତୀୟ ହାରଠୁ ଆଗରେ ଦିଲ୍ଲୀ

481

କନକ ବ୍ୟୁରୋ: କରୋନା ଲଢେଇରେ ଦେଶକୁ ବାଟ ଦେଖାଇବ ଦିଲ୍ଲୀ । କୋଭିଡ୍ ୧୯ ମୁକାବିଲାରେ ଜାତୀୟ ସୁସ୍ଥ ହାର ଠାରୁ ଦିଲ୍ଲୀରେ ସୁସ୍ଥ ହାର ଅଧିକ । ବର୍ତମାନ କୋଭିଡ୍ ୧୯ ର ଜାତୀୟ ସୁସ୍ଥ ହାର ରହିଛି ୬୩.୫ । ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣର ସୁସ୍ଥ ହାର ରହିଛି ୮୭ ପ୍ରତିଶତ । ଯାହାକି ସାରା ଦେଶରେ ସବୁଠାରୁ ଅଧିକ । ଏବେ କରୋନା ମୁକାବିଲାରେ ସାରା ଦେଶକୁ ବାଟ ଦେଖାଇବ ଦିଲ୍ଲୀ । ଦିଲ୍ଲୀ ମଡେଲ୍ ଅନ୍ୟ ରାଜ୍ୟରେ ବ୍ୟବହାର ନେଇ ରଣନୀତି ତିଆରି କରିବାକୁ ଆସନ୍ତାକାଲି ବସିବ ବୈଠକ । ସୂଚନା ଅନୁସାରେ ଏହି ବୈଠକରେ ବିଭିନ୍ନ କରୋନା ପ୍ରବଣ ରାଜ୍ୟରେ କିପରି ଏହାର ମୁକାବିଲା କରାଯିବ ସେ ନେଇ ବିଶେଷ ଭାବରେ ଆଲୋଚନା କରାଯିବ । କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କ ନେତୃତ୍ୱରେ ଏହି ବୈଠକ ବସିବ ।

ଦିଲ୍ଲୀରେ କଣ କଣ ଯୋଜନା କରିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରିଲା ସେହି ଅନୁରୂପ ମଡେଲ ଅନ୍ୟ ରାଜ୍ୟରେ ପ୍ରୟୋଗ କରିବାକୁ କେନ୍ଦ୍ର ସରକାର ମନ ବଳାଇଛନ୍ତି । ଏହା ସହିତ ଆଗାମୀ ଦିନରେ ଦିଲ୍ଲୀରେ କିପରି କରୋନା ସଂକ୍ରମଣକୁ ମୁକାବିଲା କରାଯିବ ସେ ନେଇ ମଧ୍ୟ ଆଲୋଚନା ହେବ । ଏହି ବୈଠକର ଏଜେଣ୍ଡା ଅନୁସାରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ବିଜୟ ଦେବ ଦିଲ୍ଲୀର କୋଭିଡ ୧୯ ମୁକାବିଲା ନେଇ ଦିଲ୍ଲୀ ମଡେଲର ବିଶେଷ ତଥ୍ୟ ରଖିବେ । ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପାଉଲଙ୍କ ସହିତ ଅନ୍ୟ ଅଧିକାରୀ ମଧ୍ୟ ଯୋଗ ଦେବେ । ଜୁଲାଇ ମାସର ଆରମ୍ଭ ବେଳକୁ ଦେଶରେ ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁ ଦେଶର ଅଧିକ କରୋନା ପ୍ରବଣ ରାଜ୍ୟ ରହିଥିଲେ । ତେବେ ବର୍ତମାନ ସଂକ୍ରମଣର ନୂଆ ସ୍ଥାନ ପାଲଟିଗଲାଣି ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୁଜରାଟ, କର୍ଣ୍ଣାଟକ, ତେଲଙ୍ଗାନା, ଉତରପ୍ରଦେଶ  ଏବଂ ପଶ୍ଚିମବଙ୍ଗ ।

ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଦିଲ୍ଲୀ ମଡେଲ ହେଉଛି ନମୂନା ପରୀକ୍ଷା, ଘରୋଇ ସଂଗରୋଧ, ସଠିକ୍ ତଥ୍ୟ, ଡାକ୍ତରଖାନା ବେଡ୍ ସଂଖ୍ୟା ଏବଂ ପ୍ଲାଜମାଥେରାପି । ତେବେ ଏହାକୁ ସଫଳ କରିବାକୁ ଟିମ୍ ୱାର୍କ, ଗଠନମୂଳକ ସମାଲୋଚନା ଏବଂ ସମସ୍ୟା କଣ ଜାଣିବା ସହ ଚିହ୍ନଟ କରିବା ଏବଂ ସ୍ଥିତି ଯେତେ ଖରାପ ହେଲେ ବି ଉଦ୍ୟମ ଜାରି ରହିବା ଆବଶ୍ୟକ । ଏହାକୁ ବ୍ୟବହାର କରିବା ପରେ ଦିଲ୍ଲୀରେ ବର୍ତମାନ ଗୋଷ୍ଠୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କାମ କରିବା ଆରମ୍ଭ କରିଛି ।