ଡୋନାଲ୍ଡ ଟ୍ରମ୍ପଙ୍କ ୩୬ ଘଣ୍ଟାର ଭାରତ ଗସ୍ତ ପାଇଁ କେନ୍ଦ୍ର ଖର୍ଚ୍ଚ କରିଛି ୩୮ ଲକ୍ଷ, ଆରଟିଆଇରେ ବଡ ଖୁଲାସା …

311

କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତଗସ୍ତକୁ ନେଇ ବଡ ଖୁଲାସା ହୋଇଛି । ଆରଟିଆଇ ତଥ୍ୟ ଅନୁସାରେ ଭାରତ ସରକାର ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ତାଙ୍କର ରହିବା, ଖାଇବା, ଲଜିଷ୍ଟିକ ଖର୍ଚ୍ଚ ସାମିଲ ରହିଛି । ଜଣେ ସୂଚନା ଅଧିକାରକର୍ମୀ ବୈଦେଶିକ ମନ୍ତ୍ରାଳୟରୁ ହାସଲ କରିଥିବା ତଥ୍ୟରେ ଏହା ସାମ୍ନାକୁ ଆସିଛି ।

୨୦୨୦ରେ ଡୋନାଲ୍ଡ ଟ୍ରମ୍ପ ନିଜ ପତ୍ନୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ, ଜ୍ୱାଇଁ ଜେରେଡ କୁଶ୍ୱରେ ସହ ଦୁଇଦିନିଆ ଭାରତ ଗସ୍ତରେ ଆସିଥିଲେ । ଫେବ୍ରୁଆରୀ ୨୪-୨୫ରେ ସପରିବାର ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଅହମ୍ମଦାବାଦ, ଆଗ୍ରା ଏବଂ ଦିଲ୍ଲୀ ଗସ୍ତ କରିଥିଲେ । ଫେବ୍ରୁଆରୀ ୨୪ରେ ଅହମ୍ମଦାବାଦରେ ୩ ଘଣ୍ଟା ପାଇଁ ରହିଥିଲେ । ଏହା ପରେ ସେ ୨୨ କିଲୋମିଟର ରୋଡ ସୋ କରିଥିଲେ । ସାବରମତୀ ଆଶ୍ରମ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେତେବେଳେ ନବନିର୍ବିତ ମୋଟେରା କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସାମିଲ ହୋଇଥିଲେ ।

ଏହା ପରେ ସେ ହେଲିକପ୍ଟର ସାହାର୍ଯ୍ୟରେ ଆଗ୍ରାରେ ପହଞ୍ଚିଥିଲେ ଯେଉଁଠାରେ ସେ ତାଜମହଲ ପରିଦର୍ଶନ କରିଥିଲେ । ଫେବ୍ରୁଆରୀ ୨୫ରେ ସେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ସୂଚନା ଅଧିକାର କର୍ମୀ ମିସାଲ ଭଠେନା ଦ୍ୱାରା ଦାଖଲ ହୋଇଥିବା ଆରଟିଆଇରେ ଟ୍ରମ୍ପଙ୍କ ଯାତ୍ରାରେ ଖର୍ଚ୍ଚ ଯେଉଁଥିରେ ତାଙ୍କର ଖାଦ୍ୟ, ପାନୀୟ, ସୁରକ୍ଷା, ଯାତାୟତରେ କେତେ ଖର୍ଚ୍ଚ ତାରା ହିସାବ ମଗାଯାଇଥିଲା । ୨୦୨୦ ଅକ୍ଟୋବର ୨୪ରେ ଆରଟିଆଇ ମଗାଯାଇଥିଲା । ତେବେ ବୈଦେଶିକ ମନ୍ତ୍ରାଳୟ କୌଣସି ତଥ୍ୟ ଦେଇନଥିଲା । ପରେ ସେ କେନ୍ଦ୍ରୀୟ ସୂଚନା କମିଶନଙ୍କ ପାଖରେ ଅପିଲ କରିଥିଲେ ଯାହା ଫଳରେ ବୈଦେଶିକ ସିଆଇସିଙ୍କୁ ଏହି ତଥ୍ୟ ପ୍ରଦାନ କରିଥିଲେ ।

ଆରଟିଆଇ ତଥ୍ୟରେ କେନ୍ଦ୍ର ସରକାର କହିଛନ୍ତି, ୨୪-୨୫ରେ ଭ।।ରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ଖର୍ଚ୍ଚ ବାବଦରେ ୩୮ ଲକ୍ଷ ଖର୍ଚ୍ଚ କରାଯାଇଛି ।