କାଲିଠାରୁ ଚାକିରିଆଙ୍କ ପାଇଁ ନୂଆ ନିୟମ: ଅତି ଜରୁରୀ ବିଭାଗରେ ୫୦%, ଆଂଶିକ ଜରୁରୀ ବିଭାଗରେ ୩୦% ଆସିବେ ଅଫିସ

793

କନକ ବ୍ୟୁରୋ: ଆସନ୍ତା ୪ ତାରିଖ ତଥା କାଲିଠାରୁ ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଭାରତ ସରକାର ଲକ୍ଡାଉନ୍ ଅବଧିକୁ ପୁଣି ଦୁଇ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ସରକାରୀ କର୍ମଚାରୀଙ୍କ ଅଫିସ ଆସିବା ନେଇ ରାଜ୍ୟ ସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ଅତି ଜରୁରୀ ବିଭାଗରେ ୫୦% କର୍ମଚାରୀ ଓ ଆଂଶିକ ଜରୁରୀ ବିଭାଗରେ ୩୦% କର୍ମଚାରୀ ରୋଷ୍ଟର୍ ଆଧାରରେ ଅଫିସ ଆସିବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, କୃଷି ଓ ପରିବହନ, ସମବାୟ, ଅବକାରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ରାଜସ୍ବ, ଇସ୍ପାତ ଓ ଖଣି ବିଭାଗକୁ ଅତି ଜରୁରୀ ବିଭାଗରେ ସରକାର ସାମିଲ କରିଛନ୍ତି। ଏହି ସବୁ ବିଭାଗଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନେ ରୋଷ୍ଟର ଆଧାରରେ ନିୟମିତ ଅଫିସ ଆସିବେ।

ଅଫିସରେ କାର୍ଯ୍ୟ କଲାବେଳେ କୋଭିଡ୍ ପ୍ରତିହତ ପାଇଁ ସମସ୍ତ ନିୟମ ଅନୁପାଳନ କରାଯିବ। ଯେଉଁ କର୍ମଚାରୀମାନେ ଅଫିସ ଆସିବେ ନାହିଁ, ସେମାନେ ଘରେ ରହି କାମ କରିପାରିବେ। ଅତି ଜରୁରୀ ବିଭାଗ ଅଧୀନରେ ଥିବା କ୍ଷେତ୍ରୀୟ ଅଫିସ, ଅତ୍ୟାବଶ୍ୟକ ଦ୍ରବ୍ୟ ଓ ସେବା କାର୍ଯ୍ୟାଳୟ, ନିଗମ ଓ ସାଧାରଣ ଉଦ୍ୟୋଗଗୁଡ଼ିକରେ ୧୦୦% କର୍ମଚାରୀ ଅଫିସ ଆସିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି।