କରୋନା ସହ ଲଢିବାକୁ ଭାରତକୁ ମିଳିବ ଦ୍ୱିତୀୟ ଦେଶୀ ଟିକା : ହାଇଦ୍ରାବାଦର ବାୟୋଲଜିକାଲ-ଇ କଂପାନୀ ସହ ୩୦କୋଟି ଡୋଜ ପାଇଁ ଚୁକ୍ତି କଲେ କେନ୍ଦ୍ର ସରକାର

220

କନକ ବ୍ୟୁରୋ : ଭାରତକୁ ମିଳିବ ଦ୍ୱିତୀୟ ଦେଶୀ କରୋନା ଟିକା । ଦେଶରେ କରୋନା ଟିକାକରଣକୁ ବଢାଇବା ପାଇଁ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ଏଥିପାଇଁ ଟିକା ଉତ୍ପାଦନ କମ୍ପାନୀ ବାୟୋଲଜିକାଲ-ଇ ସହ ଚୁକ୍ତି କରିଛନ୍ତି ଭାରତ ସରକାର । ସରକାର ୩୦କୋଟି କରୋନା ଟିକା କିଣିବା ପାଇଁ ଘରୋଇ କମ୍ପାନୀ ବାୟୋଲଜିକାଲ-ଇ ସହ ଅଗ୍ରିମ ଚୁକ୍ତି କରିଛନ୍ତି ଭାରତ ସରକାର । ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଟିକା ଉତ୍ପାଦନ ପାଇଁ କମ୍ପାନୀ ବାୟୋଲଜିକାଲ-ଇକୁ ୧୫ଶହ କୋଟିର ଆଗୁଆ ରାଶି ପ୍ରଦାନ ମଧ୍ୟ କରାଯାଇଛି । ଭାରତ ବାୟୋଟେକର କୋଭାକ୍ସିନ ପରେ ଏହା ଦେଶର ଦ୍ୱିତୀୟ ସ୍ୱଦେଶୀ ଟିକା ହେବ ।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ବାୟୋଲଜିକାଲ-ଇ ଟିକା ପ୍ରସ୍ତୁତି କରିବା ସହ ସରକାରଙ୍କୁ ହସ୍ତାନ୍ତର କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ବର୍ତ୍ତମାନ କମ୍ପାନୀ କରୋନା ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରୁଛି । ଏହି ଟିକାର ମାନବ ପରୀକ୍ଷଣ ସମୟରେ ୨୮ଦିନର ଅନ୍ତରାଳରେ ଲୋକଙ୍କୁ ଦୁଇଟି ଡୋଜ୍ ଦିଆଯାଇଛି । ବାୟୋଲୋଜିକାଲ-ଇ ଦ୍ୱାରା ବିକଶିତ କରାଯାଉଥିବା ଟିକା ଆରବିଡି-ପ୍ରୋଟିନ-ସବ-ୟୁନିଟ- ଭ୍ୟାକ୍ସିନ ଅଟେ । ଯାହା ଖୁବ ଶୀଘ୍ର ଉପଲବ୍ଧ ହେବ ବୋଲି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ବାୟୋଲଜିକାଲ-ଇ ଦେଶର ଏକ ପୁରାତନ ଟିକା ଉତ୍ପାଦନ କମ୍ପାନୀ । କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ଏହି କମ୍ପାନୀ ଅନେକ ଟିକା ପରୀକ୍ଷଣରେ ଲାଗିଛି । ଭାରତ ସରକାର ପୂର୍ବରୁ ବାୟୋଲୋଜିକାଲ-ଇକୁ ସମର୍ଥନ ଓ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଥିଲେ । ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଶହେ କୋଟି ଟଙ୍କା ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର । ଏହାଛଡା ଗବେଷଣା ପାଇଁ ମଧ୍ୟ ଆବଶ୍ୟକ ସରଂଜାମ ଓ କଂଚାମାଲ ସରକାର ଯୋଗାଇଥିବା ସୂଚନା ମିଳିଛି ।