କନକ ବ୍ୟୁରୋ: ଛଅ ମାସ ତଳେ ମୋଦି ସରକାରର ପ୍ରିୟ ଅଫିସର ଥିଲେ । ହେଲେ ଛଅ ମାସ ପରେ ଅଲୋଡା ହୋଇପଡିଲେ ଆଇପିଏସ ନାଗେଶ୍ୱର ରାଓ । ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ପଦରୁ ହଟାଇ ନାଗେଶ୍ୱର ରାଓଙ୍କୁ ଅଗ୍ନିଶମ, ସିଭିଲ୍ ଡିଫେନ୍ସ ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ସିବିଆଇର ଟପ ଅଫିସରଙ୍କ ଭିତରେ ବିବାଦ ପରେ ଓଡିଶା କ୍ୟାଡରର ଏହି ଆଇପିଏସଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ମୋଦି ସରକାର । ହେଲେ ସାପ ଶିଢି ଖେଳ ଭଳି ଛଅ ମାସ ଭିତରେ ବଦଳିଗଲା ନାଗେଶ୍ୱରଙ୍କ ଭାଗ୍ୟ । ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାରୁ ହଟାଇ ତାଙ୍କୁ ହୋମ ଗାର୍ଡ ଡିଜି ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର ।
ଜାନୁଆରୀ ମାସରେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ କରିଥିଲେ କେନ୍ଦ୍ର ସରକାର, ମାତ୍ର ଛଅ ମାସ ପରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପଦରୁ ଏମ୍ ନାଗେଶ୍ୱର ରାଓଙ୍କୁ ହଟାଇ ଦେଲେ ସରକାର । ୧୯୮୬ ବ୍ୟାଚର ଏହି ଓଡ଼ିଶା କ୍ୟାଡର ଆଇପିଏସଙ୍କୁ ମିଳିଛି କେନ୍ଦ୍ର ଗୃହମନ୍ତ୍ରାଳୟ ଅଧୀନରେ ଥିବା ଅଗ୍ନିଶମ, ସିଭିଲ୍ ଡିଫେନ୍ସ ଓ ହୋମଗାର୍ଡ ଡିଜିର ଦାୟିତ୍ୱ । ଯେଉଁଭଳି ଭାବେ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇ ଅଗ୍ନଶମ ବିଭାଗ ଡିଜି କରାଯାଇଥିଲା, ସେହିଭଳି ଭାବେ ହୋଇଛି ନାଗେଶ୍ୱରଙ୍କ କ୍ୟାରିୟର । ତେବେ ଏମ୍ ନାଗେଶ୍ୱର ରାଓ ଥିଲେ ସିବିଆଇର ଅନ୍ୟତମ ପ୍ରଭାବଶାଳୀ ଅଫିସର । ଆଉ ତାଙ୍କ ପଛରେ ଥିଲା ମୋଦୀ ସରକାରଙ୍କ ସମର୍ଥନ । ତାଙ୍କର କ୍ୟାରିୟର ଯେମିତି ଆଗକୁ ଗତି କରୁଥିଲା, ସେହିପରି ଅନେକ ବିବାଦ ମଧ୍ୟ ତାଙ୍କର ପିଛା କରୁଥିଲା । ଜଣେ ବିବାଦୀୟ ଅଧିକାରୀଙ୍କୁ କିଭଳି ସିବିଆଇର ପଦସ୍ଥ ଅଧିକାରୀ କରାଯାଇଥିଲା ପ୍ରଶ୍ନ ଉଠିଛି ।
ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେବା ପରେ ତିନି ଜଣ ସିନିୟର ଅଫିସରଙ୍କୁ ଅଣଦେଖା କରି ଏମ୍ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ ମୋଦୀ ସରକାର । ଦୁଇ ଦୁଇ ଥର ଅନ୍ତରୀଣ ନିର୍ଦ୍ଦେଶକ ହୋଇ ସିବିଆଇର ସର୍ବେସର୍ବା ବନିଥିଲେ ଏହି ବରିଷ୍ଠ ପୋଲିସ ଅଧିକାରୀ । ତେବେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ନାଗେଶ୍ୱର ହୋଇଛନ୍ତିି ସିବିଆଇ ପାଇଁ ଅଲୋଡ଼ା ।
ବିହାର ମୁଜାଫରପୁର ସେଲଟର ହୋମରେ ହୋଇଥିବା ଯୌନ ନିର୍ଯାତନାର ତଦନ୍ତ କରୁଥିବା ଅଧିକାରୀଙ୍କୁ ହଟାଇବା ଘଟଣାରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ନାଗେଶ୍ୱର ରାଓଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରାଯାଇଥିଲା । ନିସର୍ତ କ୍ଷମାପ୍ରାର୍ଥନା କରିଥିଲେ ବି ଏମ୍ ନାଗେଶ୍ୱର ରାଓ ଓ ଅନ୍ୟଜଣେ ଅଫିସରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ । କେବଳ ସେତିକି ନୁହେଁ ସହ କୋର୍ଟରୁମର ଏକ କୋଣରେ ଗୋଟିଏ ଦିନ ବସାଇ ଦେଇଥିଲେ ସୁପ୍ରିମକୋର୍ଟ । ସେହିପରି ଶାରଦା ଚିଟ୍ ଫଣ୍ଡ ମାମଲାର ତଦନ୍ତରେ ତାଙ୍କର ଭୂମିକା ନେଇ କଡ଼ା ସମାଲୋଚନା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।