କରୋନା ବିରୋଧୀ ଲଢେଇରେ ରାଜ୍ୟମାନଙ୍କୁ ମିଳିଲା କେନ୍ଦ୍ରର ସହାୟତା । କେନ୍ଦ୍ରସରକାର ଜାରି କଲେ ଏସଡିଆରଏଫ୍ ର ପ୍ରଥମ କିସ୍ତି

228

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ରେକର୍ଡ ଭାଙ୍ଗୁଛି । ଗତ ୨୪ ଘଂଟାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ପାର କରିଛି । ଯାହାକି ସାରା ବିଶ୍ୱର କୌଣସି ଦେଶର ଦୈନିକ ସଂକ୍ରମଣ ଠାରୁ ବହୁତ ଆଗରେ । ଏଭଳି ସ୍ଥିତିରେ ରାଜ୍ୟ ସରକାରମାନେ ଏବେ ଆର୍ଥିକ ମାନ୍ଦାବସ୍ତା ଦେଇ ଗତି କରୁଛନ୍ତି । ଏସବୁ ଭିତରେ କେନ୍ଦ୍ରର ସହାୟତା ନିହାତି ଆବଶ୍ୟକ ହେଉଥିବା ବେଳେ କେନ୍ଦ୍ର ସରକାର ଏସଡିଆରଏଫ୍ ର ପ୍ରଥମ କିସ୍ତି ଆଡଭାନ୍ସ ଆକାରରେ ଜାରି କରିଛନ୍ତି ।
ଏସଡିଆରଏଫ୍ (ଷ୍ଟେଟ୍ ଡିଜାଷ୍ଟାର ରେସ୍ପନ୍ସ ଫଣ୍ଡ) , ଯାହାକି କେନ୍ଦ୍ର ସରକାରଙ୍କ ଏକ ଆପାତକାଳୀନ କୋଷ । ଏହି କୋଷରୁ ପ୍ରଥମ କିସ୍ତି ଜୁନ ମାସରେ ରାଜ୍ୟମାନଙ୍କୁ ମିଳିବାକୁ ଥିବା ବେଳେ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏବେ ଆଡଭାନ୍ସ ଆକାରରେ ରାଜ୍ୟମାନଙ୍କ ପାଇଁ ଜାରି କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପ୍ରଥମ କିସ୍ତିରେ ୮୮୭୩.୬ କୋଟି ଟଙ୍କା ଜାରି କରିଛନ୍ତି । ଜାରି କରାଯାଇଥିବା ଏହି ଆଡଭାନ୍ସ ଅର୍ଥ ରାଜ୍ୟମାନଙ୍କୁ ମିଳିବ । ସବୁଠାରୁ ବଡକଥା ଏହାପୂର୍ବରୁ ଏସଡିଆରଏଫ ରୁ ମିଳିଥିବା ରାଶିର ବିନା ହିସାବରେ ପୁଣି ଏହି ରାଶି ଜାରି କରାଯାଇଛି   ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ଅର୍ଥରୁ ରାଜ୍ୟସରକାର ୫୦ ପ୍ରତିଶତ ଅର୍ଥାତ ୪୪୩୬.୮ କୋଟି ଟଙ୍କା କରୋନା ବିରୋଧ ଲଢେଇରେ ଖର୍ଚ୍ଚ କରିପାରିବେ । ଏହି ରାଶିକୁ ରାଜ୍ୟମାନେ ମେଡିକାଲ ପାଇଁ ଅକ୍ସିଜେନ ଉତ୍ପାଦନ ଓ ଭିତ୍ତିିଭୂମି ବିକାଶରେ ଖର୍ଚ୍ଚ କରିପାରିବେ ।