ଉପରାଜ୍ୟପାଳଙ୍କ ହାତକୁ ଗଲା ଦିଲ୍ଲୀ ସରକାରଙ୍କ ସର୍ବୋଚ୍ଚ କ୍ଷମତା । କେନ୍ଦ୍ର ସରକାର ଜାରୀକଲେ ନୋଟିସ

453

କନକ ବ୍ୟୁରୋ : ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ କେନ୍ଦ୍ର ସରକାର ଏଭଳି ଏକ ଆଇନ ଲାଗୁ କରିଛନ୍ତି ଯେ, ନିର୍ବାଚିତ ସରକାରଙ୍କ ତୁଳନାରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିଛି । ନୂଆ ଆଇନ ଅନୁସାରେ ଦିଲ୍ଲୀ ସରକାର କହିଲେ ଉପରାଜ୍ୟପାଳଙ୍କୁ ବୁଝାଇବ । ଏବେ ଦିଲ୍ଲୀ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ପଡିବ । ଦିଲ୍ଲୀ ପାଇଁ କେନ୍ଦ୍ରସରକାର ଜିଏନସିଟିଡି (Government of National Capital Territory of Delhi) ସଂଶୋଧନ ଅଧିନିୟମ ଲାଗୁ କରିଛନ୍ତି । ଏହି ଆଇନ ବଳରେ ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ଠାରୁ ଅଧିକ କ୍ଷମତାଶାଳୀ ହେବେ ଉପରାଜ୍ୟପାଳ । କେନ୍ଦ୍ର ସରକାର ଏକ ନୋଟିସ ମାଧ୍ୟମରେ ଏହି ଆଇନ ଦିଲ୍ଲୀରେ ଏପ୍ରିଲ ୨୭ ତାରିଖରୁ ଲାଗୁ ହୋଇଛି ।

କହିରଖୁ କି କିଛିଦିନ ପୂର୍ବରୁ ଉଭୟ ସଦନରେ ଏହି ଆଇନକୁ ମଞ୍ଜୁରୀ ମିଳିଥିଲା । ଲୋକସଭାରେ ମାର୍ଚ୍ଚ ୨୨ ତାରିଖ ଓ ରାଜ୍ୟସଭାରେ ମାର୍ଚ୍ଚ ୨୪ ତାରିଖରେ ଏହାକୁ ମଞ୍ଜୁରୀ ମିଳିଥିଲା । ଏହି ଆଇନକୁ ଯେତେବେଳେ ସଂସଦରେ ପାରିତ କରାଯାଇଥିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଭାରତୀୟ ଲୋକତନ୍ତ୍ର ପାଇଁ ଦୁଃଖର ଦିନ ବୋଲି କହିଥିଲେ ।

ସୂଚନା ଥାଉକି ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ ୭୦ ଆସନରୁ ‘ଆପ୍’ କୁ ୬୨ ଟି ଆସନ ମିଳିଥିବା ବେଳେ ବିଜେପିକୁ କେବଳ ୮ ଟି ଓ କଂଗ୍ରେସ ଖାତା ଖୋଲିବାରେ ସମର୍ଥ ହୋଇନଥିଲା । କେନ୍ଦ୍ର ବିଜେପି ସରକାର ଉପରେ ବାରମ୍ବାର ଅଭିଯୋଗ ଆଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହୁଥିଲେ କି ଦିଲ୍ଲୀ ସରକାରଙ୍କ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କୁ ବ୍ୟବହାର କରୁଛନ୍ତି ।

ଏନେଇ ୨୦୧୮ ମସିହା ଜୁଲାଇ ମାସରେ ସୁପ୍ରିମକୋର୍ଟ ବି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । କୋର୍ଟ କହିଥିଲେ କି ଉପରାଜ୍ୟପାଳଙ୍କ ନିକଟରେ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ ସେ କେବଳ ନିର୍ବାଚିତ ସରକାରଙ୍କ ଉପଦେଶ ମୁତାବକ କାମ କରିବାକୁ ବାଧ୍ୟ ।