ସରକାର କର୍ମଚାରୀଙ୍କୁ ଏବେ ମିଳି ନପାରେ ବର୍ଦ୍ଧିତ ମହଙ୍ଗା ଭତ୍ତା । କରୋନା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଗତମାସରେ କେନ୍ଦ୍ର କ୍ୟାବିନେଟରେ ୪ ପ୍ରତିଶତ ମହଙ୍ଗା ଭତା ବଢାଇବା ନେଇ ହୋଇଥିଲା ନିଷ୍ପତି

2,302

କନକ ବ୍ୟୁରୋ: କେନ୍ଦ୍ର ସରକାର କର୍ମଚାରୀଙ୍କୁ ଏବେ ମିଳି ନପାରେ ବର୍ଦ୍ଧିତ ମହଙ୍ଗା ଭତା । ଗତମାସରେ କେନ୍ଦ୍ର କ୍ୟାବିନେଟରେ ୪ ପ୍ରତିଶତ ମହଙ୍ଗା ଭତା ବଢାଇବା ନେଇ ନିଷ୍ପତି ହୋଇଥିଲା । ଫଳରେ ସେମାନଙ୍କ ମହଙ୍ଗା ଭତା ୧୭ ପ୍ରତିଶତରୁ ବଢି ୨୧ ପ୍ରତିଶତ ହୋଇଛି । କିନ୍ତୁ କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିରେ କେନ୍ଦ୍ର ସରକାର ଏହି ବଢିଥିବା ମହଙ୍ଗା ଭତା ଏବେ ଦେଇ ନପାରନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅନ୍ୟପଟେ କେନ୍ଦ୍ର କ୍ୟାବିନେଟ ନିଷ୍ପତି ପରେ ମଧ୍ୟ ଏହି ଭତା ବୃଦ୍ଧି ନେଇ କୌଣସି ଆନୁଷ୍ଠାନିକ ଭାବେ ଚିଠି ଜାରି ହୋଇ ନାହିଁ ।

ଫଳରେ ବର୍ତମାନ ଏହି ମହଙ୍ଗା ଭତା ମିଳିବ କି ନାହିଁ ତାହା ସ୍ପଷ୍ଟା ହୋଇ ପାରି ନାହିଁ । ଏହି ବର୍ଦ୍ଧିତ ଭତାକୁ ବର୍ତମାନ ପାଇଁ ସ୍ଥଗିତ ରଖିଲେ ପ୍ରାୟ ମାସକୁ ୧ ହଜାର କୋଟି ଟଙ୍କା ସଂଚୟ ହୋଇ ପାରିବ ବୋଲି କୁହାଯାଉଛି । ସେପଟେ କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଣ୍ଠି ଦୁଇ ବର୍ଷ ପାଇଁ ଉଚ୍ଛେଦ କରିଛନ୍ତି ଏବଂ ସାଂସଦ ଓ ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ଦରମାରୁ ୩୦ ପ୍ରତିଶତ ଦରମା କାଟିବା ପାଇଁ ନିଷ୍ପତି ନିଆଯାଇଛି । କୋଭିଡ-୧୯ ପରି ବିଶ୍ୱ ମହାମାରୀକୁ ମୁକାବିଲା କରିବା ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଦେଶର ଅର୍ଥନୀତିକୁ ସହୟତା ଯୋଗାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଛି ।