ଦୂର ହେବ ଟିକା ସମସ୍ୟା : କୋଭାକ୍ସିନ ତିଆରି ପାଇଁ ଅନ୍ୟ କମ୍ପାନୀଙ୍କୁ ଅନୁମତି ଦେବାକୁ ଚାଲିଛି ବିଚାର, ବିଦେଶୀ ଟିକାର ଆମଦାନି ଓ ଉତ୍ପାଦନ ପାଇଁ ଚାଲିଛି କଥାବାର୍ତ୍ତା

207

କନକ ବ୍ୟୁରୋ : ଦେଶରେ ଦେଖାଦେଇଛି ଟିକା ସମସ୍ୟା । ଏଭଳି ସମୟରେ ଟିକା ସମସ୍ୟା ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରସୋରରେ ଉଦ୍ୟମ ଜାରି ରହିଛି । ସ୍ୱଦେଶୀ ଟିକା କୋଭାକ୍ସିନର ତିଆରି ପାଇଁ ଅନ୍ୟ କମ୍ପାନୀଙ୍କୁ ଅନୁମତି ଦେବାକୁ ଆଲୋଚନା ଚାଲିଛି । ଯଦି କୌଣସି ଔଷଧ କିମ୍ବା ଟିକା ନିର୍ମାତା କମ୍ପାନୀଙ୍କ ପାଖରେ ଆବଶ୍ୟକ ଭିତିଭୂମି ଓ ସଂଶାଧନ ଅଛି ତାହାହେଲେ ସେମାନଙ୍କୁ ଟିକା ନିର୍ମାଣ ପାଇଁ ଅନୁମତି ଦେବାକୁ ବିଚାର ଚାଲିଛି । ବିଭିନ୍ନ ରାଜ୍ୟ ମଧ୍ୟ କୋଭାକ୍ସିନର ଟିକା ପ୍ରସ୍ତୁତି ପାଇଁ ଅନ୍ୟ କମ୍ପାନୀଙ୍କୁ ଖୁବଶୀଘ୍ର ଅନୁମତି ଦେବାକୁ ଦାବି କରିସାରିଛନ୍ତି । କେନ୍ଦ୍ର ସରକାର ଏ ବାବଦରେ ସ୍ପଷ୍ଟ କରିସାରିଛନ୍ତି ଯେ, ଏ ନେଇ ଜୋରସୋରରେ ଉଦ୍ୟମ ଚାଲିଛି ।

କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାଭିଆ କହିଛନ୍ତି, ବିଦେଶୀ ଟିକା କିଣିବା ଓ ବିଦେଶୀ କମ୍ପାନୀଙ୍କୁ ଭାରତରେ ଉତ୍ପାଦନ ପାଇଁ ଅନୁମତି ଦେବାକୁ ଉଚ୍ଚ ସ୍ତରରେ ଉଦ୍ୟମ ଚାଲିଛି । ଫାଇଜର ଏବଂ ଜନସନ ଆଣ୍ଡ ଜନସନ ଟିକାର ଆମଦାନୀ ଓ ଭାରତରେ ଏହାର ଉତ୍ପାଦନ ପାଇଁ କଥାବାର୍ତା ଆରମ୍ଭ ହୋଇଛି । ଫାଇଜର ଏ ନେଇ କିଛି ପ୍ରଶ୍ନ ଉଠାଇଛି , ଯାହାର ସମାଧାନ ଲାଗି ଉଦ୍ୟମ ଚାଲିଛି । ଋଷ ଟିକା ସ୍ଫୁଟନିକ ଭିର ଅଧିକ କ୍ରୟ ଓ ଆମଦାନୀ ପାଇଁ ପ୍ରଥମରୁ ହିଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବୈଦେଶିକ ମନ୍ତ୍ରଣାଳୟ ବିଭିନ୍ନ ବିଦେଶୀ ଟିକା ନିର୍ମାଣ କାରୀ କମ୍ପାନୀ ସହ ଏ ବାବଦରେ କଥାବାର୍ତା ଆରମ୍ଭ କରିଛି ।

ଆଉ ଏହା ସଫଳ ହେଲେ ରାଜ୍ୟଗୁଡିକୁ ଫାଇଦା ମିଳିବ ଓ କର୍ପୋରେଟ ହସପିଟାଲ ଓ ଘରୋଇ କମ୍ପାନୀ ବି ସିଧାସଳଖ ବିଦେଶରୁ ଟିକା କିଣିପାରିବେ । ଏହାଛଡା ଆଉ ଏକ ବିକଳ୍ପ ଉପରେ ବି ଆଲୋଚନା ଚାଲିଛି । ଏହାହେଲା, କିଛି ଦେଶରୁ ଟିକା ଅଣାଯିବ ଓ ଦେଶରେ ଉତ୍ପାଦନ ବଢିଲେ ସେହି ଟିକାକୁ ସଂପୃକ୍ତ ଦେଶକୁ ଫେରାଇଦିଆଯିବ । ଏହାହେଲେ ଦେଶରେ ମାସେରୁ ଦେଢମାସ ମଧ୍ୟରେ ଟିକା ସଙ୍କଟର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି ।