ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଚିନ୍ତା : କିପରି ହେବ ପିଲାଙ୍କ ଚିକିତ୍ସା ? ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ

418

କନକ ବ୍ୟୁରୋ : କରୋନାର ତୃତୀୟ ଲହର ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବା ଆଶଙ୍କା ଥିବାରୁ କେମିତି ଏହାର ମୁକାବିଲା କରାଯିବ, ଏ ନେଇ ଗାଇଡଲାଇନ ବା ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ । ୧୮ ବର୍ଷରୁ କମ୍ ପିଲାଙ୍କ ଚିକିତ୍ସା ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି ।

ଯଦି ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ଥିବ, ତେବେ କରୋନା ଆକ୍ରାନ୍ତ ପିଲାଙ୍କୁ ହୋମ ଆଇସୋଲେସନ୍ ବା ଘରେ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଇପାରିବ । ଯଦି ଆଦୌ ଲକ୍ଷଣ ନାହିଁ, ତେବେ କରୋନା ଚିକିତ୍ସା ପାଇଁ ମେଡିସିନର ଆବଶ୍ୟକତା ନାହିଁ । ସଙ୍ଗରୋଧରେ ରଖି ହାତ ଧୋଇବା, ମାସ୍କ ପିନ୍ଧିବା ଭଳି କଟକଣା କଡ଼ାକଡ଼ି ପାଳନ କରାଯିବ । ଦେହରେ ଜଳୀୟ ଅଂଶ ବଢ଼ାଇବା ପାଇଁ ଦୃଷ୍ଟି ଦେବା ସହ ପୁଷ୍ଟିକର ଖାଦ୍ୟ ଦେବାକୁ ଗାଇଡଲାଇନରେ କୁହାଯାଇଛି । ପିଲା ଯେପରି ମାନସିକ ଭାବେ ଦୃଢ ରହିବେ ପରିବାରର ଅନ୍ୟ ସଦସ୍ୟ ଏଥିପ୍ରତି ଧ୍ୟାନ ଦେବେ । ଅନ୍ୟ କୌଣସି ସମସ୍ୟା ଥିଲେ, ତା’ର ଚିକତ୍ସା କରାଯିବ । ଯଦି ଲକ୍ଷଣ ଦେଖାଦେବ, ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବେ ।

ସେହିପରି ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ମଧ୍ୟ ଘରେ ସଙ୍ଗରୋଧରେ ରଖି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରା ଯାଇପାରିବ । ବିଶେଷ କିଛି ଔଷଧର ଆବଶ୍ୟକତା ନାହିଁ । ଲକ୍ଷଣ ନଥିବା ରୋଗୀଙ୍କ କ୍ଷେତ୍ରରେ ଯାହା ନିୟମ ରହିଛି, ତାହା ପାଳନ କରାଯିବ । ଜର ରହିଲେ, ବୟସ ଓ ଓଜନକୁ ଦୃଷ୍ଟିରେ ରଖି ପାରାସିଟାଲ ଡୋଜ୍ ୪ରୁ ୬ ଘଂଟା ଅନ୍ତରରେ ଦେଇପାରିବେ । ଆଂଟି-ବାୟୋଟିକ୍ ମେଡିସିନର ଆବଶ୍ୟକତା ନାହିଁ । ସ୍ଥିତି ବିଗିଡିଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।

ମଧ୍ୟମ ଧରଣର ସଂକ୍ରମିତ ପିଲାଙ୍କୁ ହସପିଟାଲରେ ଭର୍ତି କରି ଚିକିତ୍ସା କରିବାକୁ କୁହାଯାଇଛି । ଅମ୍ଳଜାନ ସ୍ତର ୯୦ରୁ ୯୩ ପ୍ରତିଶତ ମଧ୍ୟରେ ରହିଲେ, ଏହାକୁ ମଧ୍ୟମ ଧରଣର ଆକ୍ରାନ୍ତ କୁହାଯିବ । ଏହି ରୋଗୀଙ୍କୁ କୋଭିଡ୍ ହସପିଟାଲରେ ଅକ୍ସିଜେନ୍ ଥେରାପି ସହ ଆବଶ୍ୟକ ଚିକିତ୍ସା କରିବାକୁ କୁହାଯାଇଛି । ଦେହରେ ଜଳୀୟ ଅଂଶ ଓ ଇଲେଟ୍ରୋଲାଇଟ୍ ସ୍ତର ଉପରେ ଧ୍ୟାନ ଦେବାକୁ ହେବ । ମଧ୍ୟମ ଧରଣର ଆକ୍ରାନ୍ତ ଥିବା ପିଲାଙ୍କ ପାଇଁ ଷ୍ଟେରଏଡ୍ ଆବଶ୍ୟକ ହୋଇନପାରେ । ଆବଶ୍ୟକ କ୍ଷେତ୍ରରେ ରକ୍ତ ପତଳା ହେବା ଔଷଧ ବ୍ୟବହାର କରାଯାଇପାରେ । ସ୍ଥଳ ବିଶେଷରେ ଆଂଟିବାୟୋଟିକ୍ ବ୍ୟବହାର କରାଯିବ । ଅନ୍ୟ ରୋଗ ଥିଲେ, ସେହି ଅନୁଯାୟୀ ଚିକତ୍ସା କରାଯିବ ।

ତେବେ ଯେଉଁ ପିଲାମାନେ ଗୁରୁତର ଭାବେ ଆକ୍ରାନ୍ତ ହୋଇଯିବେ, ସେମାନଙ୍କୁ ଆଇସିୟୁ କିମ୍ବା ଏଚଡିୟୁରେ ରଖି ଚିକିତ୍ସା କରିବାକୁ କୁହାଯାଇଛି । ଗୁରୁତର ରୋଗୀ ଅର୍ଥାତ୍ ଯେଉଁମାନଙ୍କ ଅମ୍ଳଜାନ ସ୍ତର ୯୦ ପ୍ରତିଶତ ତଳକୁ ଖସି ଯାଇଥିବ, ତୁରନ୍ତ କୋଭିଡ୍ ହସପିଟାଲରେ ଭର୍ତି କରାଯାଇ ଅମ୍ଳଜାନ ଦେବା ସହ ଆଇସିୟୁ କିମ୍ବା ଏଚଡିୟୁରେ ରଖି ଚିକିତ୍ସା କରାଯିବ ବୋଲି ଗାଇଡଲାଇନ୍ ଜାରି କରାଯାଇଛି । ଆବଶ୍ୟକ ଥିଲେ, ଆଂଟି-ବାୟୋଟିକ୍, ଷ୍ଟେରଏଡ୍, ରକ୍ତ ପତଳା କରିବା ଔଷଧ ଆଦି ବ୍ୟବହାର କରାଯିବ । ଅନ୍ୟ ସମସ୍ୟା ଉପୁଜିଲେ, ସେହି ଅନୁଯାୟୀ ଚିକିତ୍ସା କରାଯିବ ।