ଅମ୍ଳଜାନକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଲେ ସୁପ୍ରିମକୋର୍ଟ । କହିଲେ, ଦିଲ୍ଲୀକୁ ପ୍ରତିଦିନ ଦିଅ ୭୦୦ ମେଟ୍ରିକ ଟନ୍ ଓ ବେଙ୍ଗାଲୁରୁକୁ ଦିଅ ୧୨୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ।

269

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେଳେ ଅମ୍ଳଜାନ ଅଭାବକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ରାୟ । ଅମ୍ଳଜାନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ବର୍ତମାନ ପରିସ୍ଥିତିରେ କୌଣସି ରାଜ୍ୟକୁ ଏପରି ଅବସ୍ଥାରେ ଛାଡି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ । ସେପଟେ କର୍ଣ୍ଣାଟକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆବେଦନକୁୁ ଖାରଜ କରି, କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ସଠିକ୍ କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ଦେଶରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ବେଳେ ସଂଜୀବନି ସାଜିଛି ଅମ୍ଳଜାନ। ଏହି ଅମ୍ଳଜାନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀକୁ ପ୍ରତିଦିନ ୭ଶହ ମେଟ୍ରିକ ଟନ ଅମ୍ଳଜାନ ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

କରୋନା ମହାମାରୀର ଦ୍ଵିତୀୟ ଲହରରେ ସବୁଠୁ ଅଧିକ ଅସହାୟ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ । ଏପରି ସମୟରେ ସଂଜୀବନି ସାଜିଥିବା ଅମ୍ଳଜାନ ଅଭାବ ନେଇ ଦିଲ୍ଲୀରୁ ଦାରୁଣ ଦୃଶ୍ୟ ଦେଖୁବାକୁ ମିଳିଛି । ଏହାରି ଭିତରେ ଦିଲ୍ଲୀକୁ ଅମ୍ଳଜାନ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ୱେ ଦିଲ୍ଲୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ଶହ ମେଟ୍ରିକ ଟନ ଅମ୍ଳଜାନ ଯୋଗାଣ ହୋଇନଥିବା ନେଇ କେଜରିୱାଲ ସରକାର କୋର୍ଟରେ ଜଣାଇବା ପରେ କ୍ଷୋଭ ପ୍ରକାଶ କରିଛନ୍ତି କୋର୍ଟ । ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତିଦିନ ଦିଲ୍ଲୀକୁ ୭ଶହ ମେଟ୍ରିକ ଟନ ଅମ୍ଳଜାନ ଯୋଗାଇ ଦେବାକୁ ହିଁ ପଡିବ ବୋଲି କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ଗତ ଦୁଇ ସପ୍ତାହ ହେଲା ରାଜଧାନୀ ଦିଲ୍ଲୀର ଅନେକ ବଡ଼ ବଡ଼ ହସ୍ପିଟାଲରେ ଅମ୍ଳଜାନ ଅଭାବ ନେଇ ଖବର ଆସିଛି । ଏପରିକି ଅମ୍ଳଜାନ ଅଭାବ ଯୋଗୁଁ ଅନେକ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଇଛି । ଏପରିକି ଆବଶ୍ୟକତା ଅନୁଯାୟୀ ଦିଲ୍ଲୀକୁ ୭ଶହ ମେଟ୍ରିକ ଟନ ଅକ୍ସିଜେନ ଯୋଗେଇବାରେ ଯଦି କେନ୍ଦ୍ର ବିଫଳ ହେବ ତା ହେଲେ କୋର୍ଟ ନିଜ ଆଡୁ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କରୋନାର ଦ୍ଵିତୀୟ ଲହର ବେଳେ ଦିଲ୍ଲୀ ପାଇଁ ପ୍ରତିଦିନ ୭ଶହ ମେଟ୍ରିକ ଟନ ଅମ୍ଳଜାନ ଆବଶ୍ୟକତା ରହିଥିବା କୋର୍ଟରେ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

ସେପଟେ କର୍ଣ୍ଣାଟକକୁ ମଧ୍ୟ ଅକ୍ସିଜେନ ଯୋଗାଣ ମାମଲାରେ କେନ୍ଦ୍ର ସରକାରଙ୍କୁ ଧକ୍କା ଲାଗିଛି । କର୍ଣ୍ଣାଟକକୁ ପ୍ରତିଦିନ ୧୨ଶହ ମାଟ୍ରିକ ଟନ ଅକ୍ସିଜେନ ଯୋଗାଇ ଦେବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ଯେଉଁଥିରେ ଅକ୍ଷମତା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେନ୍ଦ୍ର ସରକାର। ଏହି ମାମଲାରେ ଶୁଣାଣୀ କରି କୋର୍ଟ କହିଛନ୍ତି କର୍ଣ୍ଣାଟକବାସୀଙ୍କୁ କୋର୍ଟ ଏମିତି ଛାଡି ଦେଇପାରିବେ ନାହିଁ । ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଉଚିତ ନିଷ୍ପତ୍ତି ନେଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଏହି ଆବେଦନର ଶୁଣାଣୀ କରିବାର ଆବଶ୍ୟକତା ନାହିଁ ।