କନକ ବ୍ୟୁରୋ: ଜାମ୍ମୁକାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାର କିଛି ମାସ ପୂର୍ବରୁ ଏଠାରେ ଉପ-ରାଜ୍ୟପାଳଙ୍କ ଶକ୍ତିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁକାଶ୍ମୀର ପୁନଗର୍ଠନ ଅଧିନିୟମ,୨୦୧୯ର ଧାରା ୫୫ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଏବେ ପୋଲିସ୍ ଅଧିକାରୀଙ୍କ ଟ୍ରାନ୍ସଫର୍ ଏବଂ ପୋଷ୍ଟିଂର ଅଧିକାର ଉପ-ରାଜ୍ୟପାଳଙ୍କ ହାତରେ ରହିବ । ତେବେ ବିରୋଧୀ କିନ୍ତୁ ଏହାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ।
ତେବେ ସୂଚନା ମୁତାବକ, ଜାମ୍ମୁକାଶ୍ମୀର ଉପ ରାଜ୍ୟପାଳଙ୍କୁ ଏହି ଶକ୍ତି ମିଳିବା ପରେ, ଜାମ୍ମୁକାଶ୍ମୀରର ସ୍ଥିତି ଦିଲ୍ଲୀ ଭଳି ହେବ ବୋଲି ଅନୁମାନ କରାଯାଉଛି । ଦିଲ୍ଲୀରେ ଅଧିକାଂଶ ସମୟରେ ଅଫିସରମାନଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫରକୁ ନେଇ ଦିଲ୍ଲୀ ସରକାର ଏବଂ ଉପ-ରାଜ୍ୟପାଳଙ୍କ ଭିତରେ ତୁ ତୁ ମେଁ ମେଁ ଲାଗି ରହିଥାଏ । ଆଉ ଜାମ୍ମୁକାଶ୍ମୀରରେ ସେହିଭଳି ନିୟମ ଲାଗୁ ହେବାକୁ ଯାଉଥିବାରୁ, ସେଠାରେ ମଧ୍ୟ ସେହି ସ୍ଥିତି ଉପୁଜିପାରେ ବୋଲି ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି ।
ଏହି ଆଇନର ସଂଶୋଧନ ପରେ ପୋଲିସ୍, ପବ୍ଲିକ ଅର୍ଡର, ଆଇଏଏସ୍, ଦୁର୍ନୀତି ନିବାରଣ ବ୍ୟୁରୋ ସମ୍ପର୍କିତ ପ୍ରସ୍ତାବ ଉପରେ ଅର୍ଥ ବିଭାଗର ବିନା ଅନୁମତିରେ ଉପ ରାଜ୍ୟପାଳ ନିଷ୍ପତ୍ତି ନେଇପାରିବେ । ସେହିପରି ଆଇଏଏସ୍, ଆଇପିଏସ ମାନଙ୍କର ଟ୍ରାନ୍ସଫର ମଧ୍ୟ ଉପ-ରାଜ୍ୟପାଳଙ୍କ ହାତରେ ରହିବ ।
ତେବେ ଏହି ନିୟମ ସଂଶୋଧନକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ବିଜେପିି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି । ତାଙ୍କ କହିବା କଥା, ଏ ସଂଶୋଧନର ଅର୍ଥ ହେଉଛି ନିକଟ ଭବିଷ୍ୟତରେ ଜାମ୍ମୁକାଶ୍ମୀରକୁ ଆଉ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ନାହିଁ । ହେଲେ ସମସ୍ତ ରାଜନୈତିକ ଦଳ ଜାମ୍ମୁକାଶ୍ମୀରକୁ ରାଜ୍ୟର ମାନ୍ୟତା ପ୍ରଦାନ କରିବାକୁ ଚାହୁଁଛନ୍ତି । ଯାହାକି ଏବେ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ରହିଛି ।