ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବଢିଲା ସୁରକ୍ଷା : ଜେଡ ପ୍ଲସ ସିକ୍ୟୁରିଟି ଯୋଗାଇଲେ କେନ୍ଦ୍ର ସରକାର; ୨୪ଘଣ୍ଟିଆ ସୁରକ୍ଷା ଦେବେ ସିଆରପିଏଫ ଯବାନ

446

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ତାଙ୍କର ସୁରକ୍ଷା ବଢାଇ ଦଆଯାଇଛି । ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଯୋଗାଇଛନ୍ତି କେନ୍ଦ୍ର ସରକାର । ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବନ୍ଧୁକଧାରୀ ସିଆରପିଏଫ ଯବାନ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।

– ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ୍ ପ୍ଲସ ସୁରକ୍ଷା
– ଜେଡ୍ ପ୍ଲସ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା
– ସାଧାରଣତଃ କେନ୍ଦ୍ରର ବଡ଼ ମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ସୁରକ୍ଷା ଦିଆଯାଏ
– କାହାକୁ ଜେଡ୍ ପ୍ଲସ ଦିଆଯିବ ସେ ନିଷ୍ପତ୍ତି କେନ୍ଦ୍ର ସରକାର ନେଇଥାନ୍ତି
– ଜେଡ୍ ପ୍ଲସ ସୁରକ୍ଷାରେ ୫୫ ଜଣ ସୁରକ୍ଷାକର୍ମୀ ୨୪ ଘଂଟା ସୁରକ୍ଷା ଦେଇଥାନ୍ତି
– ୧୦ରୁ ଅଧିକ ଏନ୍ଏସଜି କମାଣ୍ଡୋ ସୁରକ୍ଷାରେ ରହିଥାନ୍ତି
– ସିଆରପିଏଫ୍ ଓ ପୋଲିସ କର୍ମୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ରହିଥାନ୍ତି
– ଜେଡ୍ ପ୍ଲସ ସୁରକ୍ଷାରେ ପାଇଲଟ୍ ଗାଡି ମଧ୍ୟ ଦିଆଯାଇଥାଏ
– ଆବଶ୍ୟକ ପଡ଼ିଲେ ଜେଡ୍ ପ୍ଲସ ସୁରକ୍ଷାରେ ଜାମର ମଧ୍ୟ ଦିଆଯାଏ

ଓଡ଼ିଶାରୁ ହେବେ ପ୍ରଥମ ରାଷ୍ଟ୍ରପତି । ସମସ୍ତଙ୍କୁ ଚକିତ କରି ମୟୁରଭଞ୍ଜର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ମିଳିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ସକାଳୁ ସକାଳୁ ରାଇରଙ୍ଗପୁରର ମନ୍ଦିର ଯାଇ ଠାକୁର ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରର ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ସଫେଇ କରିଛନ୍ତି ।

ଆଜି ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ଅଛି । ଏହାପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ସମ୍ଭାବନା ରହିଛି । ଗତକାଲି ସଂସଦୀୟ ବୋର୍ଡ ବୈଠକ ପରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା । ଦ୍ରୌପଦୀ ମୁର୍ମୁ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଆଦିବାସୀ ଚେହେରା । ଯିଏ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଥିଲେ ।