ନବୀନ ପ୍ରସ୍ତାବ ଦେଇଥିଲେ, ମୋଦି ମାନିନେଲେ । ଏଣିକି ଖୋଲା ବଜାରରେ ବି ମିଳିବ କୋଭିଡ ଟିକା । 

619

କନକ ବ୍ୟୁରୋ : ନବୀନ ପ୍ରସ୍ତାବ ଦେଇଥିଲେ, ମୋଦି ମାନିନେଲେ । ମୋଦି ରଖିଲେ ନବୀନଙ୍କ କଥା । କୋଭିଡ ଟିକାକୁ ନେଇ ଦୁଇ ଦିନ ପୂର୍ବେ ନବୀନ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଣିକି ଟିକା ଉତ୍ପାଦନକାରୀ କମ୍ପାନି ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କୁ ଦେବା ସହ ବଳକା ୫୦ ପ୍ରତିଶତ ଟିକା ରାଜ୍ୟ ସରକାର ଓ ଖୋଲା ବଜାରକୁ ଛାଡିବେ ।

ଆଜି ଖୋଲା ବଜାରରେ ଟିକା ଉପଲବ୍ଧ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଏପରିକି ଟିକା ଉତ୍ପାଦନକାରୀ ସଂସ୍ଥା ଗୁଡିକ ଠାରୁ ରାଜ୍ୟ ଗୁଡିକ ଟିକା କିଣିପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏହାବାଦ୍ ଘୋଷଣା ହୋଇଥିବା ଦରରେ ବଜାରରେ ଟିକା ଉପଲବ୍ଧ ହେବ ବୋଲି କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୋଦି ସରକାର ।

ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନବୀନ କହିଥିଲେ ଯେ, ସରକାରୀ ବ୍ୟବସ୍ଥା ବାହାରେ ବି ଖୋଲା ବଜାରକୁ ବି ଟିକା ଛଡାଯାଉ । ଯାହାଦ୍ୱାରା  ଟିକା କିଣିବାକୁ ଯୋଗ୍ୟ ବ୍ୟକ୍ତି ନିଜ ଟଙ୍କାରେ ଏହା କିଣିପାରିବେ । ଏଭଳି ବ୍ୟବସ୍ଥା ଦ୍ୱାରା ସରକାରଙ୍କ ଉପରେ ଟିକାକରଣର ଭାର ହ୍ରାସ ପାଇବା ସହ ଗରିବ ଓ ସମାଜର ଅନ୍ୟ ଶ୍ରେଣୀ ଉପରେ ଧ୍ୟାନ୍ ଦେଇପାରିବେ ସରକାର ।  ଆଉ ଏହା ହିଁ ମହାମାରୀ ମୁକାବିଲା ପାଇଁ ନବୀନଙ୍କ ଦୂରଦୃଷ୍ଟିସମ୍ପନ୍ନତାକୁ ଦର୍ଶାଉଛି । କିଭଳି ସହଜରେ ସମସ୍ୟାର  ସମାଧାନ କରାଯାଇପାରିବ ତାହାର ରାସ୍ତା ପୂରା ଦେଶକୁ ଦେଖାଇଛନ୍ତି ନବୀନ ।