ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍: ବାତ୍ୟା ‘ବୁଲବୁଲ’ରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ, ସହାୟତା ନେଇ ସମୀକ୍ଷା କରିବେ ।

323

କନକ ବ୍ୟୁରୋ: ବାତ୍ୟା ‘ବୁଲବୁଲ’ର କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସାହେଲୀ ଘୋଷ ରୟଙ୍କ ନେତୃତ୍ୱରେ ନୂଆଦିଲ୍ଲୀରୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଗୁରୁବାର ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଏହି ୭ଜଣିଆ କେନ୍ଦ୍ରୀୟ ଟିମର ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ବାତ୍ୟା ‘ବୁଲବୁଲ’ ପ୍ରଭାବିତ ଭଦ୍ରକ ଅଭିମୁଖେ ଯାତ୍ରା କରିଛନ୍ତି ।

ଅନ୍ୟପଟେ ଏହି ଟିମ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ଭଦ୍ରକ ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା ଗସ୍ତ କରିବେ । ଭଦ୍ରକରେ ବାତ୍ୟା ବୁଲବୁଲରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ଦେଖିବେ ଏହାପରେ ଶୁକ୍ରବାର ସନ୍ଧ୍ୟାରେ ଲୋକସେବା ଭବନରେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏନଡିଆରଫରୁ ରାଜ୍ୟକୁ ବାତ୍ୟା ବୁଲବୁଲ ପାଇଁ କେତେ ସହାୟତା ମିଳୁଛି ତାହା ବୈଠକ ପରେ ହିଁ ସ୍ପଷ୍ଟ ହେବ ।