କନକ ବ୍ୟୁରୋ : ବାତ୍ୟା ‘ଫୋନି’ର ତାଣ୍ଡବରେ ଛାରଖାର ହୋଇଯାଇଛି ଉପକୂଳ ଓଡିଶା । ଫୋନି ଚାଲିଯିବା ପରେ ଦୁଃଖ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି ଓଡିଶାବାସୀ । ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଜିଲ୍ଳାଗୁଡ଼ିକର ସ୍ଥିତି ସମୀକ୍ଷା କରିବା ପାଇଁ ରବିବାର ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଆଜି ଏହି ଟିମ୍ ବାତ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର କିଛି ଅଞ୍ଚଳ ବୁଲି ଦେଖିଛନ୍ତି । ବ୍ରହ୍ମଗିରିର ହସିନାପୁର ଏବଂ କୃଷ୍ଣପ୍ରସାଦ ବ୍ୟତୀତ କଣାସ ଓ ପିପିଲିରେ ପହଞ୍ଚି କେନ୍ଦ୍ରୀୟ ଟିମ୍ ସ୍ଥିିତି ସମୀକ୍ଷା କରିଛନ୍ତି ।
ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ମଧ୍ୟ ୬ ଜଣିଆ କେନ୍ଦ୍ରୀୟ ଟିମ୍ ଯାଇ ପହଞ୍ଚିଛନ୍ତି । ସେମାନେ ଜଟଣୀ ଅଞ୍ଚଳ ବୁଲି ଲୋକଙ୍କୁ ଚାଷବାସ ଓ ବେପାରବେଉସା ଉଜୁଡ଼ିବା ସଂପର୍କରେ ଭଲମନ୍ଦ ପଚାରି ବୁଝିଛନ୍ତି । ଉଲ୍ଲେଖଯୋଗ୍ୟ, ବାତ୍ୟା କ୍ଷୟକ୍ଷତି ଆକଳନ ହେତୁ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସରାକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ରାଜ୍ୟର ବରିଷ୍ଠ ଅଧିକାରୀ ଏକ ବୈଠକ ଡକାଇ ଆଲୋଚନା କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଥିଲେ କି ଆଜି ସଂଧ୍ୟା ସୁଦ୍ଧା ପୁରୀରେ ସମସ୍ତ ବ୍ୟାଙ୍କ୍ କାର୍ଯ୍ୟକ୍ଷମ ହେବ । ଯେଉଁ ବ୍ୟାଙ୍କ୍ରେ ଇଣ୍ଟର୍ନେଟ୍ ସେବା ହୋଇପାରିବ ନାହିଁ ସେଠାରେ ଅଫ୍ଲାଇନ୍ କାମ ହେବ ।