କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ ମନରେଗା କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଆସିଥିବା କେନ୍ଦ୍ରୀୟ ଦଳ ଗୋଟିଏ ପରେ ଗୋଟିଏ ପଂଚାୟତରେ ଛାନଭିନ କରୁଛନ୍ତି । ମନରେଗା ଯୋଜନାରେ ହୋଇଥିବା ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ମାଟି କାମରେ ସବୁଥିରେ ବ୍ୟାପକ ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ଦଳ ପ୍ରମାଣ ପାଇଛି । ପୂର୍ବରୁ ଜରୀ ପଂଚାୟତରେ ହୋଇଥିବା ଦୁର୍ନୀତି ଘଟଣାରେ ୩ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ । ପୁଣି ବ୍ଲକର ଅନ୍ୟ ପଂଚାୟତ ଦୁର୍ନୀତିରେ ସରକାରୀ ଅଧିକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

Advertisment

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ ମନରେଗାରେ ଦୁର୍ନୀତି ଅଭିଯୋଗର ଟିକିନିଖି ଯାଞ୍ଚ କରୁଛି କେନ୍ଦ୍ରୀୟ ଟିମ୍ । ଦୁଇ ଦିନ ଧରି ବ୍ଲକର ବାଙ୍ଗରା ଓ ଫତେପୁର ପଂଚାୟତ କାର୍ଯ୍ୟାଳୟକୁ ଯାଇ କାଗଜପତ୍ରକୁ ଯାଂଚ କରିଛନ୍ତି ପ୍ରତିନିଧି ଦଳ । ତଦନ୍ତ ସମୟରେ ଅନେକ ଅନିୟମିତତା ସାମ୍ନାକୁ ଆସିଛି । କେଉଁଠି ମଷ୍ଟର ରୋଲରେ ଜଣକ ନାଁରେ ଅନ୍ୟ ଜଣକ ଆକାଉଣ୍ଟକୁ ଟଙ୍କା ପଠାଉ ଲୁଟ ହୋଇଛି, ତ ଆଉ କେଉଁଠି ବନୀକରଣ ନାଁରେ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି ।

ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ତଦନ୍ତ ଦାବି କରି ଧାରଣା ଦେଇଥିଲେ ବିଭିନ୍ନ ପଞ୍ଚାୟତ ବାସିନ୍ଦା । ଜିଲା ପ୍ରଶାସନ ପକ୍ଷରୁ ଜରି ପଞ୍ଚାୟତ ଦୁର୍ନୀତିର ତଦନ୍ତ କରି ୩ ଜଣ ସରକାରୀ ବାବୁଙ୍କୁ ନିଲମ୍ବିତ କରାଯାଇଥିଲା । ଏହାପରେ ସିଂହପୁର, ବାଙ୍ଗରା, ଫତେପୁର ଆଦି ପଂଚାୟତରୁ ଆସିଥିବା ସମାନ ଅଭିଯୋଗର ସତ ଖୋଜୁଛି କେନ୍ଦ୍ରୀୟ ଟିମ୍ । ଅଭିଯୋଗର ଅନୁଧ୍ୟାନ ସରିବା ପରେ କେନ୍ଦ୍ର ସରକାରଙ୍କୁ ଦୁର୍ନୀତି ସଂପର୍କିତ ରିପୋର୍ଟ ପ୍ରଦାନ କରିବେ କେନ୍ଦ୍ରୀୟ ଟିମ୍ ।

ପୂର୍ବରୁ ଗୋଟିଏ ପଞ୍ଚାୟତର ଦୁର୍ନୀତି ତଦନ୍ତ ପରେ ୩ ସରକାରୀ କର୍ମଚାରୀ ନିଲମ୍ବିତ ହୋଇ ସାରିଛନ୍ତି । ଏବେ ଅନ୍ୟ ସବୁ ପଞ୍ଚାୟତ ଅଫିସରେ କେନ୍ଦ୍ରୀୟ ଟିମ୍ ଛାନଭିନ୍ କରିବା ଦେଖି ଛାନିଆ ହୋଇଯାଇଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାର ।