ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମର ଅନୁଧ୍ୟାନ ଶେଷ । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲା ଦଳ

ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଥିବା କହିଲେ ମୁଖ୍ୟ ଶାସନ ସଚିବ

154

କନକ ବ୍ୟୁରୋ: ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ୨ ଦିନ ଧରି କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରିଥିଲେ । ଚଳିତ ମାସ ଶେଷ ସୁଦ୍ଧା ଦାବି ପତ୍ର ଦିଆଯିବ । ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ବିଦ୍ୟୁତ ସେବା କ୍ଷେତ୍ରରେ କିଛି ନିୟମ ପରିବର୍ତନ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଅନ୍ୟପଟେ, ଭାରତ ସରକାର ସବୁବେଳେ ଓଡିଶା ସରକାରଙ୍କ ସାଥିରେ ଅଛନ୍ତି ବୋଲି କହିଛନ୍ତି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ । ସେ କହିଛନ୍ତି ଯେ, ଏହା ପ୍ରଥମ ଥର ପାଇଁ ହୋଇଛି, ଯେଉଁଥିରେ କି କୌଣସି ଆପଦକାଳୀନ ସ୍ଥିତିର ମାତ୍ର ୧୦ ଦିନ ମଧ୍ୟରେ କୌଣସି କେନ୍ଦ୍ରୀୟ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି । ଆମ ଟିମ୍ ଗତ ଦୁଇ ଦିନ ମଧ୍ୟରେ ବହୁ ଜାଗା ବୁଲି ଦେଖିଛନ୍ତି । ତେବେ ଫୋନି ଯୋଗୁଁ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ବାକି ଅଂଚଳରେ ବି ବ୍ୟାପକ କ୍ଷୟ କ୍ଷତି ଘଟିଛି । କିନ୍ତୁ ରାଜ୍ୟ ସରକାର ଯେଉଁ ଗତିରେ କାମ କରିଛନ୍ତି ତାହା ନିଶ୍ଚୟ ପ୍ରଶଂସାର ଯୋଗ୍ୟ ।

ଲୋକଙ୍କୁ ତକ୍ରାଳିନ ରିଲିଫ୍ ସାମଗ୍ରୀ ମିଳିଛି । ତେବେ ସେ ଖାଦ୍ୟ ପଦାର୍ଥ ହେଉ, କିମ୍ବା ଟଙ୍କା , କିମ୍ବା ରହିବା ପାଇଁ ବ୍ୟବସ୍ଥା । ଏସବୁକୁ ରାଜ୍ୟ ସରକାର ବଡ ଦ୍ରୁତ ଗତିରେ କରିଛନ୍ତି । ଖାଲି ଏତିକି ନୁହେଁ ଆଗକୁ କଣ କରାଯିବ, ସେ କାମରେ ବି ସରକାର ଜୁଟିପଡିଛନ୍ତିି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ସହାୟତା କରିବେ ବୋଲି କହିଛନ୍ତି ବାତ୍ୟା ଅନୁଧ୍ୟାନ ପାଇଁ ଓଡିଶାଗସ୍ତରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ ।

ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବାତ୍ୟା ପରର ସ୍ଥିତି ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍ । ଆଜି ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଯାଇ କ୍ଷୟକ୍ଷତିର ଆକଳନ କରିଥିଲେ । ଏହାପୂର୍ବରୁ କଟକ ଜିଲ୍ଲାରେ ବିଭିନ୍ନ ଅଚଂଳ ଓ କଂଟାପଡା ବ୍ଲକର ବିଭିନ୍ନ ଗ୍ରାମରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଥିଲେ କେନ୍ଦ୍ରୀୟ ଟିମ । ନିଆଳି ଓ ବେଗୁନିଆରେ ବି କ୍ଷୟକ୍ଷତିର ଆକଳନ କରିଥିଲା ଟିମ । ଏହି ସମୟରେ କେନ୍ଦ୍ରୀୟ ଟିମର ସଦସ୍ୟମାନେ ବାତ୍ୟା ପୀଡିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଓ ପୁରୀରେ କ୍ଷୟକ୍ଷତି ଆକଳନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ ।