ବାତ୍ୟା ପରର ସ୍ଥିତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ : ଆଜି କଂଟାପଡା ବ୍ଲକର ବିଭିନ୍ନ ଗାଁରେ ଚାଲିଛି କ୍ଷୟକ୍ଷତି ଆକଳନ । ବାତ୍ୟା ପ୍ରଭାବିତଙ୍କ ସହ କରୁଛନ୍ତି ଆଲୋଚନା

67

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍ । ଗତକାଲି ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିଥିବାବେଳେ ଆଜି କଟକ ଜିଲ୍ଳାର ବିଭିନ୍ନ ଅଂଚଳରେ ଅନୁଧ୍ୟାନ କରିଛନ୍ତି । କଟକ ଜିଲ୍ଲାପାଳଙ୍କ ସହ କଂଟାପଡା ବ୍ଲକର ବିଭିନ୍ନ ଗ୍ରାମରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଛନ୍ତି । ଏହି ସମୟରେ କେନ୍ଦ୍ରୀୟ ଟିମର ସଦସ୍ୟମାନେ ବାତ୍ୟା ପୀଡିତ ପରିବାରମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଓ ପୁରୀରେ କ୍ଷୟକ୍ଷତି ଆକଳନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ଫୋନି ବାତ୍ୟାର କ୍ଷୟକ୍ଷତି ନେଇ ଆକଳନ କରୁଛନ୍ତି । ଆସନ୍ତା ୧୫ ତାରିଖରେ କେନ୍ଦ୍ରୀୟ ଟିମର ୧୧ ଜଣ ସଦସ୍ୟ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ପରିଦର୍ଶନ କରିବା ସହ ପୂର୍ବାହ୍ନ ୧୧ଟାରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବେ । ସେହିଦିନ ଅପରାହ୍ନରେ କେନ୍ଦ୍ରୀୟ ଟିମ୍ ଦିଲ୍ଲୀ ଫେରିଯିବେ ।