କନକ ବ୍ୟୁରୋ: ପ୍ରଶାସନିକ ଅଧିକାରୀ ଡେପୁଟେସନରେ ଯିବାକୁ ହେଲେ ରାଜ୍ୟର ଅନୁମତି ଆଉ ଆବଶ୍ୟକ ପଡିବନି । ଏଥିପାଇଁ ଉଦ୍ଦିଷ୍ଟ ନିୟମରେ ପରିବର୍ତନ ଆଣିବାକୁ କେନ୍ଦ୍ର ଆଗଭର ହୋଇଛି । ହେଲେ ଏହି ପଦକ୍ଷେପ ସଂଘୀୟ ଗଣତନ୍ତ୍ର ପାଇଁ ବିପଦ ଆଣିବ ବୋଲି ଯୁକ୍ତି ବାଢି ଏକାଧିକ ରାଜ୍ୟ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି ।

Advertisment

ଭାରତୀୟ ପ୍ରଶାସନିକ ସେବା କ୍ୟାଡର୍ ନିୟମ ୧୯୫୪ର ଧାରା ୬ରେ ପରିବର୍ତନ ଆଣିବାକୁ କେନ୍ଦ୍ର ପଦକ୍ଷେପ ନେବା ଆରମ୍ଭ କରିଛି । ଏହାଦ୍ୱାରା କେନ୍ଦ୍ର ସରକାର ଯେଉଁ ଅଧିକାରୀଙ୍କୁ ଚାହିଁବେ, ରାଜ୍ୟର ବିନା ଅନୁମତିରେ ଡେପୁଟେସନରେ ନେଇପାରିବେ । କେନ୍ଦ୍ରରେ ଅଧିକାରୀଙ୍କ ଅଭାବ ଦର୍ଶାଇ, ଏଭଳି ନିଷ୍ପତି ନିଆଯାଉଥିବା ଯଦିଓ ଯୁକ୍ତି ଦର୍ଶାଯାଉଛି, ହେଲେ ପଶ୍ଚିମବଙ୍ଗ, ତାମିଲନାଡୁ, ବିହାର, ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ଭଳି ରାଜ୍ୟ ଏହାକୁ ଖୋଲାଖୋଲି ବିରୋଧ କରୁଛନ୍ତି ।

ଦେଶର ପ୍ରଶାସନିକ ବ୍ୟବସ୍ଥା କେନ୍ଦ୍ର-ରାଜ୍ୟ ସମ୍ପର୍କର ପରିଧିରେ ପରିଚାଳିତ । ଉଭୟଙ୍କୁ ସମ୍ବିଧାନ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛି । କିଏ କେଉଁଠି ନିଯୁକ୍ତି ପାଇବେ, ରାଜ୍ୟ ସରକାର ପ୍ରଶାସନିକ ସୁବିଧା ଅନୁଯାୟୀ ନିଷ୍ପତି ନେବେ । ଏହା ଉପରେ କୁଠାରାଘାତ କରାଯାଉଥିବା, ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଡେପୁଟେସନର ଧାରା-୬ରେ ଆସିବାକୁ ଯାଉଥିବା ପରିବର୍ତନ ଅନୁଯାୟୀ

  • କେନ୍ଦ୍ର କୈାଣସି ଅଧିକାରୀଙ୍କୁ ନିଯୁକ୍ତି ଦେଲେ, ରାଜ୍ୟ ତାଙ୍କୁ ଦାୟିତ୍ୱରୁ ମୁକ୍ତ କରିବ
  • ରାଜ୍ୟ କ୍ୟାଡରରେ ଥିବା ଅଧିକାରୀଙ୍କ ମଧ୍ୟରୁ ୪୦% ଡେପୁଟେସନରେ ରହିବେ
  • ରାଜ୍ୟ ଏନେଇ ନିୟମିତ ତାଲିକା ପ୍ରସ୍ତୁତ କରିବ
  • କେନ୍ଦ୍ର-ରାଜ୍ୟ ମଧ୍ୟରେ ନିଯୁକ୍ତି ନେଇ ବିବାଦ ଉପୁଜିଲେ, କେନ୍ଦ୍ର ନିଷ୍ପତି ଚୁଡାନ୍ତ
  • ରାଜ୍ୟ କେନ୍ଦ୍ରର ନିଷ୍ପତିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବ

ଜାନୁଆରୀ ୧୨ରେ ଓଡିଶା ସମେତ ସବୁ ରାଜ୍ୟକୁ ଏହି ମର୍ମରେ ଚିଠି ଆସିଛି । ୨୫ ତାରିଖ ସୁଦ୍ଧା ଏହା ଉପରେ ଆଭିମୁଖ୍ୟ ଜଣାଇବାକୁ କୁହାଯାଇଛି । ରାଜ୍ୟ ଗୁଡିକରୁ ମତାମତ ଆସିବା ପରେ ସଂଶୋଧିତ ନିୟମ ପ୍ରକାଶ ପାଇବ । କେନ୍ଦ୍ର ନିୟମ ପରିବର୍ତନ ନେଇ ଆଗ୍ରହ ଦେଖାଉଥିବାରୁ, ଯଦି ରାଜ୍ୟ ଗୁଡିକ ଅସହମତି ପ୍ରକାଶ କରନ୍ତି ତେବେ ଏନେଇ ଅଧ୍ୟାଦେଶ ବି ଆସିପାରେ ।

ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନେଇ ମୋଦି-ମମତା ମୁହାଁମୁହିଁ ହୋଇଥିଲେ । ଅଲ୍ପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ନେବାକୁ ବିଜ୍ଞପ୍ତି ଜାରି ହୋଇଥିଲା । ହେଲେ ସେ ଦିଲ୍ଲୀ ଯିବା ବଦଳରେ ନିଜ ପଦରୁ ଇସ୍ତଫା ଦେଇ ମମତାଙ୍କ ମୁଖ୍ୟ ପରାମର୍ଶଦାତା ବନିଯାଇଥିଲେ । ତେଣୁ ଆଗାମୀ ଦିନରେ ଯଦି ସବୁ ଅଧିକାର କେନ୍ଦ୍ର ନିକଟକୁ ପଳାଏ ତେବେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସଂକଟର ସ୍ଥିତି ସୃଷ୍ଟି ହୋଇପାରେ ।