ଲକ୍ଷ୍ମୀପୁରରେ ଚାଷୀଙ୍କୁ ଗାଡି ଚଢାଇ ମାରିବା ଘଟଣା : ଆଜି ଆତ୍ମସର୍ମପଣ କରିପାରନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ।

132

କନକ ବ୍ୟୁରୋ : ଲକ୍ଷ୍ମୀପୁର ଖେରିରେ ପ୍ରଦର୍ଶନକାରୀ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିଦେବା ଘଟଣାର ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଆଜି ଆତ୍ମସର୍ମପଣ କରିପାରନ୍ତି । ମିଳିଥିବା ସୂଚନା ମୁତାବକ, ଆଶିଷ ଲକ୍ଷ୍ମୀପୁର ଖେରି ଜନପଦ ନ୍ୟାୟାଳୟରେ ଆତ୍ମସର୍ମପଣ କରିପାରନ୍ତି । ଆଶିଷଙ୍କ ସମେତ ଅନ୍ୟ ୧୪ ଜଣଙ୍କ ନାଁରେ ହତ୍ୟା, ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ଏଫଆଇଆରରେ ରହିଛି । ତେବେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଉଭୟ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ।

ଏଫଆଇଆରରେ ଅଜୟ ମିଶ୍ରାଙ୍କ ଭାଇରାଲ ଭିଡ଼ିଓ ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏଫଆଇଆର ଅନୁଯାୟୀ, ଯେଉଁ ଗାଡି ଚଢାଇ ଚାଷୀଙ୍କୁ ହତ୍ୟା କରାଯାଇଥିଲା ସେହି ଗାଡିର ବାମପାଶ୍ୱର୍ରେ ଆଶିଷ ମିଶ୍ରା ବସିଥିଲେ । ଆଉ ଏହି ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ବିରୋଧୀ କଂଗ୍ରେସ ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ କରିବା ସହ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛି ।

ଲକ୍ଷ୍ମୀପୁର ହିଂସାକାଣ୍ଡ ଘଟଣାକୁ ୩ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଥିପାଇଁ କିଏ ଦାୟୀ ତାହାର ଉତ୍ତର ଖୋଜୁଛି ପୋଲିସ । ଭିନ୍ନ ଭିନ୍ନ ଭିଡ଼ିଓ ସାମ୍ନାକୁ ଆସିବା ପରେ ଘଟଣା ଉପରୁ ପରଦା କିଛି ମାତ୍ରାରେ ହଟିଥିଲେ ମଧ୍ୟ ପୂରା ସତ କଣ ତାହା ଏଯାଏଁ ପଦାକୁ ଆସିନି । କିନ୍ତୁ ଏହାକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଉତ୍ତର ପ୍ରଦେଶ ସରକାର କହିଛନ୍ତି, କଂଗ୍ରେସ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ସୃଷ୍ଟି କରିବାକୁ ଚାହୁଁଛନ୍ତି । ପୂର୍ବରୁ ଲକ୍ଷ୍ମୀପୁର ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଛତିଶଗଡ ମୁଖ୍ୟମନ୍ତ୍ରୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀଙ୍କୁ ଘଟଣାସ୍ଥଳକୁ ଯିବାକୁ ଅନୁମତି ଦେଇନାହାନ୍ତି ଉତ୍ତର ପ୍ରଦେଶ ସରକାର । ଏପରିକି ଶିବସେନା ଯୋଗୀ ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଲକ୍ଷ୍ନୌ କଣ ପାକିସ୍ତାନ ହୋଇଗଲା କି ଯେଉଁଠି ଭାରତୀୟଙ୍କୁ ଓହ୍ଲାଇବାକୁ ଦିଆଯାଉନାହିଁ ।