ଏ କଣ କହିଗଲେ ମୋଦିଙ୍କ ମନ୍ତ୍ରୀ ! ଭାରତ ଭଳି ଦେଶରେ ଗୋଟିଏ ଦୁଇଟି ଦୁଷ୍କର୍ମ ହୋଇଯାଏ, ଏହାକୁ ଅତିରଞ୍ଜିତ କରିବା ଦରକାର ନାହିଁ

64

ଗୋଟିଏ ପଟେ ଦେଶରେ ନାବାଳିକା ଦୁଷ୍କର୍ମକୁ ନେଇ ତାତି ଥମି ନଥିବା ବେଳେ ଏହାକୁ ଆହୁରି ବିବାଦୀୟ କରିଛନ୍ତି ମୋଦିଙ୍କ ମନ୍ତ୍ରୀ । କଠୁଆ ନାବାଳିକା ଗଣ ଦୁଷ୍କର୍ମକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବିବାଦୀୟ ମନ୍ତବ୍ୟ ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଚର୍ଚ୍ଚାକୁ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶର ହେଉଥିବା ଦୁଷ୍କର୍ମ ନିହାତି ଭାବେ ଦୁଭାଗ୍ୟଜନକ ଘଟଣା । କିନ୍ତୁ ଏହାକୁ ବେଳେ ବେଳେ ରୋକାଯାଇ ପାରିବ ନାହିଁ । ଭାରତ ଏକ ବଡ ଦେଶ । ଏଠାରେ ଯଦି ଗୋଟିଏ ଦୁଇଟି ଦୁଷ୍କର୍ମ ଘଟଣା ଘଟିଯାଉଛି ତେବେ ଏହାକୁ ଏତେ ଅତିରଞ୍ଜିତ କରିବାର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାର ସକ୍ରିୟ ରହିଛନ୍ତି । ଏଭଳି ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ଏଥିପାଇଁ ଯାହା ବି କିଛି ପଦକ୍ଷେପ ନେବା କଥା ତାହା ନିଆଯାଉଛି ।

ଗତ କିଛି ଦିନ ହେଲା ଦେଶର ବିଭିନ୍ନ ସ୍ଥାନରେ ମହିଳାମାନଙ୍କ ସହ ଦୁଷ୍କର୍ମ କରାଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଖାସକରି ବିଜେପି ଶାସିତ ରାଜ୍ୟରେ କଠୁଆ ଓ ଉନ୍ନାଓ ଭଳି ଘଟଣାକୁ ନେଇ ଏବେ ମୋଦି ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ମୋଦି ସରକାର ବେଟି ବଚାଓ ବେଟି ପଢାଓର ନାରା ଦେଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନ ଏବେ ସରକାରଙ୍କୁ କାଠଗଡାକୁ ଟାଣିଛି । ରାମରାଜ୍ୟର ସ୍ୱପ୍ନ ଦେଖାଉଥିବା ମୋଦି ସରକାରର ମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସାଧାରଣ ଲୋକ । ତେବେ ଏନେଇ ସନ୍ତୋଷ ଗଙ୍ଗୱାର କହିଛନ୍ତି ତାଙ୍କ ବୟାନକୁ ଗଣମାଧ୍ୟମରେ ଭୁଲ ଭାବେ ଉପସ୍ଥାପିତ କରାଯାଇଛି ।

ସେହିଭଳି ଏହା ପୂର୍ବରୁ ବିଜେପି ନେତ୍ରୀ ହେମାମାଳିନୀ କହିଥିଲେ ମହିଳା ଓ ଶିଶୁଙ୍କ ଉପରେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଏହାକୁ ଅଧିକ ଅତିରଞ୍ଜିତ କରାଯାଉଛି । ଗୋଟିଏ ପଟେ କେନ୍ଦ୍ର କ୍ୟାବିନେଟ ନାବାଳିକା ଶିଶୁଙ୍କ ସହ ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡ ଦେବାକୁ ଆସିଥିବା ଅଧ୍ୟାଦେଶରେ ମୋହର ମାରିଛନ୍ତି । କିନ୍ତୁ ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ବିଜେପି ନେତା ଦେଉଥିବା ବୟାନ ମୋଦି ସରକାରକୁ ଅଡ଼ୁଆରେ ପକାଇଛି । ତେବେ ଏସବୁ ଭିତରେ ନାବାଳିକା ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦେବା ଅଧ୍ୟାଦେଶକୁ ଆଜି ରାଷ୍ଟ୍ରପତି ମଂଜୁରୀ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ପରେ ରାଷ୍ଟ୍ରପତି ଅଧ୍ୟାଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ଏହାପରେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଦେଇଛନ୍ତି । ଏବେ ଦୁଷ୍କର୍ମକୁ ନେଇ ନୂଆ ନିୟମ ଆସିବ ଓ ପକସୋ ଆକ୍ଟରେ ମଧ୍ୟ ସଂଶୋଧନ ହେବ । ୧୨ ବର୍ଷରୁ କମ ଝିଅଙ୍କ ପ୍ରତି ଦୁଷ୍କର୍ମ କରିବାର ପ୍ରମାଣ ମିଳିଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ।