ଭାରତ ଛାତିରେ ‘କରୋନା’ ଛନକା । ୟୁପି ଗାଜିଆବାଦରେ ଆଉ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ପରେ ସମସ୍ତଙ୍କୁ ଘାରିଲା ଭାଇରସ ଭୟ । ୨୮ ହଜାର ସନ୍ଦିଗ୍ଧଙ୍କ ଉପରେ ରଖାଯାଇଛି ନଜର

1,159

କନକ ବ୍ୟୁରୋ: ୟୁପିର ଗାଜିଆବାଦରେ ଆଉ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଆଉ ତାଙ୍କ ସହ ବର୍ତ୍ତମାନ ୩୦ରେ ପହଁଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବେଲଜିୟମରେ ୟୁରୋପୀୟ ସଂଘ ସହ ହେବାକୁ ଥିବା ବୈଠକ ବାତିଲ କରିଦେଇଛନ୍ତି । ଆଜି ରାଜ୍ୟ ସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇ କହିଛନ୍ତି, ଦେଶରେ ବର୍ତ୍ତମାନ ୨୮ ହଜାର ୫୨୯ ଜଣଙ୍କୁ କରୋନା ସନ୍ଦେହରେ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇଛି । ଏହାରି ଭିତରେ ଦିଲ୍ଲୀରେ ଆସନ୍ତା ୩୧ ତାରିଖ ଯାଏ ସମସ୍ତ ସ୍କୁଲ ବନ୍ଦ କରାଯାଇଛି ।

ତେବେ କୋରନା ମୁକାବିଲା ପାଇଁ କ’ଣ କରୁଛନ୍ତି ସରକାର ? ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଗୋଟିଏ ପଟେ କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ବଢି ଚାଲିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାରାତ୍ମକ ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ସଂସଦକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଦେଶରେ ୨୮ ହଜାର ୫୨୯ ଜଣଙ୍କୁ କରୋନା ସନ୍ଦେହରେ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇଛି । ସଂସଦର ଉଭୟ ଗୃହରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଯାଂଚ କରାଯାଉଛି । ମାର୍ଚ୍ଚ ୪ ତାରିଖ ସୁଦ୍ଧା ମୋଟ୍ ୬ ଲକ୍ଷ ୧୧ ହଜାର ୧୭୬ଜଣଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଛି । ଏଥିପାଇଁ ୧୨ଟି ବିମାନବନ୍ଦରରେ ବ୍ୟବସ୍ଥା କରାଯାଇଛି । ଏହାବାଦ ୧୨ଟି ପ୍ରମୁଖ ଓ ୬୫ଟି ଛୋଟଛୋଟ ବନ୍ଦରରେ ମଧ୍ୟ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି ।

ମଙ୍ଗଳବାର ସୁଦ୍ଧା ୬ ଜଣଙ୍କଠାରେ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିଲା । କିନ୍ତୁ ଗତ ୨୪ ଘଂଟା ମଧ୍ୟରେ ଏହି ସଂଖ୍ୟା ୫ ଗୁଣା ହୋଇଛି । ତେଣୁ ବିଶ୍ୱର ୭୦ରୁ ଅଧିକ ଦେଶରେ କାୟା ମେଲିଥିବା କରୋନା ଭାରତରେ କିଭଳି ପ୍ରଭାବ ବିସ୍ତାର କରୁଛି, ତା ଉପରେ ସତର୍କ ନଜର ରହିଛି । ବିଶେଷଜ୍ଞ ଡାକ୍ତରଙ୍କ ମତରେ ଭାରତରେ ଉଷ୍ମ ପାଣିପାଗ ଓ ଜଳବାୟୁରେ ଆର୍ଦ୍ରତା କାରଣରୁ ଏହି ଭୂତାଣୁ ବ୍ୟାପିବ ନାହିଁ । ସେହି ଦୃଷ୍ଟିରୁ ଆଗାମୀ ୩-୪ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ରାଜ୍ୟସଭାରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଜାରି ହେବାର ବହୁ ପୂର୍ବରୁ ଅର୍ଥାତ ଜାନୁଆରୀ ୧୭ରୁ କରୋନା ଭତାଣୁର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କୁ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦେଲେ ଅଭିଭାବକଭ୍କୁ ସୂଚନା ଦେବାପାଇଁ ଶ୍ରେଣୀ ଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ଦିଲ୍ଲୀରେ କରୋନାର ପ୍ରଭାବକୁ ଦେଖି ଆଗାମୀ ୩୧ ତାରିଖ ଯାଏଁ ସମସ୍ତ ପ୍ରାଥମିକ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ କାୟା ମେଲିବା ପରେ ସମସ୍ତଙ୍କ ଭିତରେ ଛନକା ପଶିଛି । ସାଂସଦମାନେ ମୁହଁରେ ମାସ୍କ ବାନ୍ଧି ସଂସଦ ଆସିଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ଆପ ରାଜ୍ୟସଭା ସାଂସଦ ସୁଶୀଲ ଗୁପ୍ତା ମାସ୍କ ଲଗାଇ ସଂସଦରେ ପହଂଚିଛନ୍ତି । ସେହିପରି କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ ସାଥୀ ସାଂସଦଙ୍କୁ ହ୍ୟାଣ୍ଡ ସାନିଟାଇଜର ବାଂଟୁଥିବା ଦେଖିବାକୁ ମିଳିଛି ।