କନକ ବ୍ୟୁରୋ : ଭାରତୀୟ ରାଜନୀତିରେ ଏବେ କଂଗ୍ରେସର ଅବସ୍ଥା କଣ ତାହା ସମସ୍ତଙ୍କୁ ଜଣା । ଅଳ୍ପ କିଛି ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ୟରେ ଏବେ କଂଗ୍ରେସ ନିଜର ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଛି । କିଛି ଦିନ ପୂର୍ବେ ହୋଇଥିବା ନିର୍ବାଚନରେ ମଧ୍ୟ ଦଳ ମାତ୍ ଖାଇଛି । ଆଉ ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ନୀତିନ କହିଛନ୍ତି, ମୁଁ ହୃଦୟରୁ ଚାହୁଁଛି କଂଗ୍ରେସ ପୁଣିଥରେ ଶକ୍ତିଶାଳୀ ହେଉ । ଗତ ୨୬ ତାରିଖରେ ପୁଣେରେ ଆୟୋଜିତ ଏକ ସଭାରେ ଏଭଳି କହିଛନ୍ତି ନୀତିନ ।
ଗଡକରୀ କହିଛନ୍ତି, ଲୋକତନ୍ତ୍ର ୨ଟି ଚକକୁ ନେଇ ଆଗକୁ ଗଡିଥାଏ । ଯେଉଁଥିରେ ଉଭୟ ଶାସକ ଓ ବିରୋଧୀ ଲୋକତନ୍ତ୍ରର ଗୋଟିଏ ଗୋଟିଏ ଚକ । ଏହାଛଡା ଲୋକତନ୍ତ୍ରକୁ ସୁଦୃଢ କରିବାକୁ ଶକ୍ତିଶାଳୀ ବିରୋଧୀଙ୍କର ଆବଶ୍ୟକତା ରହିଛି । ତେଣୁ ମୁଁ ହୃଦୟରୁ ଚାହୁଁଛି କଂଗ୍ରେସ ଶକ୍ତିଶାଳୀ ହେଉଛି । କଂଗ୍ରେସ ଦୁର୍ବଳ ହେବା କାରଣରୁ ଏହାର ସ୍ଥାନ କିଛି ଆଞ୍ଚଳିକ ଦଳ ନେଉଛନ୍ତି । ଯାହା ଲୋକତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଏପରିକି କଂଗ୍ରେସରୁ ଅନ୍ୟ ଦଳକୁ ଯାଉଥିବା ନେତାଙ୍କୁ କହିଛନ୍ତି, ଯେଉଁମାନଙ୍କର କଂଗ୍ରେସ ଦଳ ଓ ଏହାର ବିଚାରଧାର ଉପରେ ଆସ୍ଥା ରହିଛି ସେମାନଙ୍କୁ ପାର୍ଟି ସହ ଯୋଡି ହୋଇ ରହିବା ଆବଶ୍ୟକ । ଯେତେ ପ୍ରତିକୂଳ ପରିସ୍ଥିତି ଆସୁନା କାହିଁକି ସେମାନେ ଦଳ ଛାଡିବା ଉଚିତ୍ ନୁହେଁ ।
ନୀତିନ ଗଡକରୀ ନିଜ ଉଦାହରଣ ଦେଇ କହିଛନ୍ତି, ୧୯୭୦-୮୦ ଦଶକରେ ମୁଁ ବିଜେପିରେ ସାମିଲ ହୋଇଥିଲି । ସେହି ସମୟରେ ଦଳର ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ପୁଣେରେ ପହଞ୍ଚିଥିଲି । ରେଲୱେ ଷ୍ଟେସନରେ ଓହ୍ଲାଇବା ପରେ ଦଳର ବିଭିନ୍ନ ପ୍ରଚାର ସାମଗ୍ରୀ ମୋ ପାଖରେ ଥିଲା । ସେହି ସମୟରେ ପୁରୁଣା କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକର କହିଥିଲେ ଯେ, କୌଣସି ଏକ ଭଲ ଦଳରେ ସାମିଲ ହେବାକୁ । ଯେଉଁଠାରେ ମୋର ଭବିଷ୍ୟତ ଥିବ । ସେତେବେଳେ ବିଜେପିରେ ମାତ୍ର ୨ ଜଣ ସାଂସଦ ରହିଥିଲେ । ସେତେବେଳେ ମହାରାଷ୍ଟ୍ରର କଂଗ୍ରେସ ନେତାଙ୍କୁ କହିଥିଲି, କୁଅରେ ଡେଇଁ ଜୀବନ ହାରିବି ପଛେ କିନ୍ତୁ ନିଜର ବିଚାରଧାରା ବଦଳାଇବି ନାହିଁ । ଆଉ ସେତେବେଳ ନୀତିନ ଗଡକରୀ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ପରବର୍ତ୍ତୀ ସମୟରେ ନୀତିନଙ୍କୁ ବିଜେପିର ହେଭିୱେଟ ନେତାର ପରିଚୟ ଦେଇଥିଲା ।