ପୁରୀ ପରିକ୍ରମା ପ୍ରକଳ୍ପ ନେଇ ତେଜୁଛି ରାଜନୀତି, ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

134

କନକ ବ୍ୟୁରୋ : ଦେଶରେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଉଥିବା ବେଳେ ଦିଲ୍ଲୀ ଠାରୁ ଓଡିଶା ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ଓ ଧର୍ମକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଏହି କ୍ରମରେ ଉତ୍ତର ପ୍ରଦେଶରେ ଥିବା ଜ୍ଞାନବାପୀ ମସଜିଦକୁ ନେଇ ସର୍ଭେ ଆରମ୍ଭ ହୋଇଥିବା ବେଳେ ପୁରୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ଚାଲିଥିବା କାମକୁ ନେଇ ବିରୋଧୀଦଳ ରାଜନୀତିରେ ମାତିଛନ୍ତି । ଏସବୁ ଭିତରେ ଆଜି ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି । ସେ ଆଜି ପୁରୀର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ସିଧା ସଳଖ ବିରୋଧ କରି ନ ଥିଲେ ବି ନିୟମ କାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ ବୋଲି କହିଛନ୍ତି । ଏହାସହ ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବରକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ପାଶ୍ୱର୍ରୁ ହଜାର ହଜାର ବର୍ଷର ପୁରୁଣା ମୂର୍ତ୍ତି ମିଳୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ଢଙ୍ଗରେ କହିଛନ୍ତି କି ପୁରାତନ ମୂର୍ତ୍ତି ଓ କିର୍ତ୍ତୀରାଜିକୁ ଅଣଦେଖା କରି ଆଧୁନିକୀକରଣ କରିବା ଉଚିତ୍ ନୁହେଁ ।

କହିରଖୁ କି ରାଜ୍ୟ ସରକାର ପୁରୀରେ ଥିବା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସେଠି ଉନ୍ନତି କାମ ଜାରି ରଖିଛନ୍ତି । ଏହାକୁ ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପ ବୋଲି ନାମକରଣ କରିଛନ୍ତି । ଏହି କାମକୁ ନେଇ ବିଶେଷ ଭାବେ ବିଜେପି ନେତା ଓ ମନ୍ତ୍ରୀମାନେ ବିରୋଧ କରୁଛନ୍ତି । କିଛିଦିନ ତଳେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେପି ଟିକେଟରେ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସମ୍ବିତ ପାତ୍ରା ପୁରୀ ଆସି ଏହି ପ୍ରକଳ୍ପକୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କୁ ଘେରିଥିଲେ । ସେପଟେ ପୁରୀ ବିଧାନସଭା ଆସନରୁ ବିଜେପି ଟିକେଟରେ ବିଧାୟକ ହୋଇଥିବା ଜୟନ୍ତ ଷଡଙ୍ଗୀ ଏହାକୁ କେବେ ବିରୋଧ କରୁଛନ୍ତି ତ କେତେ ରାଜ୍ୟ ସରକାରଙ୍କ କାମକୁ ପ୍ରଶଂସା କରି ବିଜେପି ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି ।