ବୁଲି ବୁଲି କରୋନା ସ୍ଥିତି ପରଖୁଛନ୍ତି କେନ୍ଦ୍ରମନ୍ତ୍ରୀ । ପିପିଇ କିଟ୍ ପିନ୍ଧି ଅନୁଗୁଳର କୋଭିଡ୍ ହସ୍ପିଟାଲ ବୁଲିଲେ ଧର୍ମେନ୍ଦ୍ର । ଲୋକାର୍ପଣ କଲେ ୨୭୦ ଶଯ୍ୟାର କୋଭିଡ୍ ସେଣ୍ଟର ।

257

କନକ ବ୍ୟୁରୋ: କେମିତି ଅଛି କୋଭିଡ୍ ହସ୍ପିଟାଲର ସ୍ଥିତି ? ପିପିଇ କିଟ୍ ପିନ୍ଧି ସ୍ଥିତି ପରଖିଲେ, ରୋଗୀଙ୍କ ସମ୍ପର୍କରେ ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳରେ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟରର ଲୋକାର୍ପଣ ପରେ ବଳରାମ ପ୍ରସାଦ ସ୍ଥିତ ଇଏସଆଇ ହସ୍ପିଟାଲରେ ନାଲକୋ ସହଯୋଗରେ ନିର୍ମିତ କୋଭିଡ୍ ହସ୍ପିଟାଲ ଏବଂ ତାଳଚେର ସ୍ଥିତ ଏମସିଏଲର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ନିଜେ ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲ ଭିତରେ ବୁଲି ସ୍ଥିତି ଦେଖିଛନ୍ତି । ଏହା ସହ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ସହ କଥା ହୋଇ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି ।

ତେବେ ଅନୁଗୁଳ ଜିନ୍ଦଲ ଷ୍ଟିଲ ଏବଂ ପାୱାର ପ୍ଲାଣ୍ଟପରିସରରେ ଅକ୍ସିଜେନ ସଂଯୁକ୍ତ ୨୭୦ ବେଡ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ରହିବ ନାହିଁ । ମହାମାରୀ ମୁକାବିଲାର ଆହ୍ୱାନକୁ ସାମ୍ନା କରିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୃଢ କରିବାକୁ ଓଡିଶାର କର୍ପୋରେଟ ଅନୁଷ୍ଠାନ ଗୁଡିକ ଉଦ୍ୟମ ଜାରି ରଖିଛନ୍ତି । ୟାରି ଭିତରେ ଅନୁଗୁଳରେ ୨୭୦ ଶଯ୍ୟାର କୋଭିଡ୍ ସେଣ୍ଟର ଲୋକାର୍ପିତ ହୋଇଛି ।

କୋଭିଡ୍ କେୟାର ସେଂଟରର ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଛନ୍ତି ଯେ ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଇସ୍ପାତ କମ୍ପାନୀ ଜେଏସପିଏଲ ଦ୍ୱାରା ଏହି କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା କରାଯାଇଛି । ଏହି ସେଂଟରରେ ୨୭୦ଟି ଅକ୍ସିଜେନ୍ ସଂଯୁକ୍ତ ବେଡ଼୍, ଭେଂଟିଲେଟର, ଏଚଡ଼ିୟୁ ଓ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ପୂର୍ବରୁ ଏଠାରେ ୫୦ଟି ବେଡ୍ ଉପଲବ୍ଧ ରହିଛି । ଜେଏସପିଏଲର ଏହି କୋଭିଡ୍ ହସ୍ପିଟାଲରେ ବ୍ୟବସ୍ଥିତ ଥିବା ସର୍ବମୋଟ ୩୨୦ଟି ବେଡ୍ ଅନୁଗୁଳ ଜିଲ୍ଲାର କଣିହାଁ, ତାଳଚେର ଏବଂ ପଡୋଶୀ ଜିଲ୍ଲା ଦେବଗଡ଼ ସମେତ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାରେ ସହାୟକ ହେବ ।