କେନ୍ଦ୍ରାପଡାରେ ହେବ ଇସ୍ପାତ କାରଖାନା: ଏମଓୟୁ ପରେ ମିତ୍ତଲ-ନିପ୍ପନ ଷ୍ଟିଲ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

245

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ ଇସ୍ପାତ କମ୍ପାନୀ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବାରୁ ଏହି କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବାକୁ ଥିବା ସର୍ବବୃହତ ଇସ୍ପାତ କାରଖାନା ଓଡିଶାରେ ଆର୍ଥିକ ଏବଂ ନିଯୁକ୍ତି ସୃଷ୍ଟି କରିବା ଦିଗରେ ନୂଆ ଉନ୍ମାଦନା ଆଣିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତକୁ ବଡ ଗତି ଦେବ ।

ତେବେ ଗତ ୨ ତାରିଖରେ ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ସହ ଭାରତରେ ଇସ୍ପାତ୍ ଶିଳ୍ପର ଅଭିବୃଦ୍ଧି ନେଇ ଆଲୋଚନା କରିଥିଲେ । କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବାକୁ ଥିବା ଏହି ସର୍ବବୃହତ ଇସ୍ପାତ୍ କାରଖାନା ପାଇଁ ଭାରତ ସରକାର ସମସ୍ତ ଆନୁଷଙ୍ଗିକ ସହାୟତା ଯୋଗାଇଦେବା ନେଇ ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବାକୁ ଥିବା ସର୍ବବୃହତ ଇସ୍ପାତ କାରଖାନା ଜିଲ୍ଲାର ସାମଗ୍ରିକ ବିକାଶ କରିବ ।