ନର୍ଲାରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରଚାର। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ବଖାଣିବା ସହିତ ରାହୁଲ, ମମତାଙ୍କ ସହ ନବୀନଙ୍କୁ କଲେ ଟାର୍ଗେଟ

କହିଲେ, ସ୍ଥିର ସରକାର ପାଇଁ ବିଜେପିକୁ ଭୋଟ ଦେବାକୁ ଆହ୍ୱାନ

151

କନକ ବ୍ୟୁରୋ: ନିର୍ବାଚନ ପାଇଁ ବିଜେପି ବି ପ୍ରଚାରକୁ ଜୋରଦାର କରିଛି । ଆଜି କାଳାହାଣ୍ଡି ନର୍ଲାରେ ବିଜେପି ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରାହୁଲ ଗାନ୍ଧି ଓ ମମତା ବାନାର୍ଜୀ କେନ୍ଦ୍ରରେ ଅସ୍ଥିର ସରକାର ଚାହୁଁଛନ୍ତି । ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ନବୀନ ପଟ୍ଟନାୟକ । କିନ୍ତୁ ଲୋକେ ଏହାର ଜବାବ ଦିଅନ୍ତୁ ଓ କେନ୍ଦ୍ରରେ ସ୍ଥିର ଓ ଦୃଢ ସରକାର ପାଇଁ ଭୋଟଦେବାକୁ ସେ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ।

ନର୍ଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର । ବିଜେପିର ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କ ନିମନ୍ତେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଏଠାରେ ଏକ ବିଶାଳ ଜନସଭାର ମଧ୍ୟ ଆୟୋଜନ କରାଯାଇଥିଲା । ଆଉ ଏହି ଜନସଭାରେ କେନ୍ଦ୍ର ସରକାରଙ୍କ ଗୁଣ ଗାରିମା ବଖାଣିବା ସହ ଚିରାଚରିତ ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଆଜି ଭାରତରେ ୭କୋଟି ହିତାଧୀକାରୀ ମୋଦିଙ୍କ ଉଜ୍ଜ୍ୱଳା ଯୋଜନାର ଲାଭ ଉଠାଉଛନ୍ତି । ସେହିପରି ଅଢେଇ କୋଟି ଲୋକଙ୍କ ଘରେ ବିଜୁଳୀ ଆଲୁଅ ଏବଂ ମୁଦ୍ରା ଯୋଜନାରେ ୧୨ କୋଟି ଲୋକଙ୍କୁ ଋଣ ଦିଆଯାଇସାରିଛି । ଖାଲି ଏତିକି ନୁହେଁ ଓଡିଶାରେ ରେଳ ବାଇର ଅନୁଦାନ ମଧ୍ୟ ବୃଦ୍ଧି ପାଇଛି ତେବେ ଏହା କେବଳ ଗୋଟିଏ ଦୃଢ ସରକାର ହେବା ଦ୍ୱାରା ସମ୍ଭବ ହୋଇପାରିଛି । ଅସ୍ଥିର ସରକାର ଥିଲେ ଏହା କେବେବି ହୋଇପାରିନଥାନ୍ତା ବୋଲି ଦମ୍ଭୋକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, କଂଗ୍ରେସ ପ୍ରାର୍ଥୀ ତଥା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ନିର୍ବାଚନ ଲଢୁଛନ୍ତି । ସେ କଳାହାଣ୍ଡିର ବିକାଶ କଥା କହୁଛନ୍ତି । ତେବେ ଭକ୍ତ ଦାସ ଜିତିଲେ ପାକିସ୍ତାନରେ ଦିପାବଳୀ ହେବ । କାରଣ ଏବେ ରାହୁଲଙ୍କ ଭାଷାରେ ଭାରତବର୍ଷରେ ଅସ୍ଥିର ସରକାର ହେଉ ଆଉ ମୋଦି ସରକାର ହଟୁ । ଖାଲି ରାହୁଲ କାହିଁକି ମମତା ଏବଂ ମାୟାବତୀଙ୍କର ମଧ୍ୟ ଏହି ନାରା ରହିଛି । ତେବେ ଏହି କ୍ଲବରେ ବର୍ତ୍ତମାନ ରାଜ୍ୟ ସରକାର ତଥା ନବୀନବାବୁ ସାମିଲ ହୋଇଛନ୍ତି ବୋଲି କହିବା ସହ କେନ୍ଦ୍ରରେ ସ୍ଥିର ଓ ଦୃଢ ସରକାର ପାଇଁ ଭୋଟ ଦେବାକୁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।