ବିବାଦରେ ବିଶ୍ୱେଶ୍ୱର ଟୁଡୁ: ୨ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ଦାୟର ହେଲା ମାମଲା 

242

କନକ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣାରେ ମାମଲା ରୁଜୁ କରିଛି ପୋଲିସ । ଗତକାଲି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଅଶ୍ୱୀନି କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ୫ଟି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।  ଗମ୍ଭୀର ଆଘାତ ଦେବା, ଜୋରଜବରଦସ୍ତ ଅଟକାଇବା, ଅପଶବ୍ଦ ପ୍ରୟୋଗ ଏବଂ ଅପରାଧିକ ଆଭିମୁଖ୍ୟ ରଖି ଧମକାଇବା ଭଳି ଦଫା ଲଗାଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଥିବା ବେଳେ ଭାଇରାଲ ହେବାରେ ଲାଗିଛି କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଫୋନକଲ୍ ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ : 

ଏମ୍ପି ଲ୍ୟାଡ୍ରେ ତୁମେ ଏପରି କରୁଛ, ଫାଇଲ୍ ଧରି ଆସିବାରେ ତମକୁ ଅସୁବିଧା ହେଉଛି.. କେତେବେଳେ ଏଠିକି ଯିବନି, କେତେବେଳେ ସେଠିକି ଯିବନି..କ’ଣ ମନ୍ତ୍ରୀ ଯିବେ କି ତମ ପାଖକୁ..

ଅଧିକାରୀ:

ନା’ ନା’ ଫାଇଲ୍ ଧରି ଯିବାରେ କିଛି ଅସୁବିଧା ନାହିଁ..କିନ୍ତୁ ସାର୍ ପବ୍ଲିକ୍ ପ୍ଲେସ୍କୁ ଆମେ କେମିତି ଯିବୁ..

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ : 

ମନ୍ତ୍ରୀ ଯିବେକି? ମତେ କହ.. ମୁଁ ଯିବି ଏଇନା..

ଅଧିକାରୀ:

ଆପଣ ଯେଉଁଟା ଠିକ୍ ଭାବିବେ..

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ : 

ମୋ ଅଫିସକୁ ଆସ.. ମୋ ଅଫିସକୁ ଆସ..

ଅଧିକାରୀ:

ସାର୍ ମୁଁ କହୁଥିଲି, ଏଇଟା ମନ୍ତ୍ରୀଙ୍କର..

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ : 

କେତେ ସମୟ ଭିତରେ ଆସିବ, ମତେ କହ..

ଅଧିକାରୀ:

ସାର୍.. ଆମେ ଯାଉଛୁ ସାର୍..

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ : 

ମନ୍ତ୍ରୀଙ୍କ ଅଫିସ ତକତପୁର ଛକ, ମୁଁ ଶହେ ଥର କହି ପାରିବିନି..ଯଦି ନଆସିବ, ମୁଁ ଯାଉଛି.. ଅଧଘଂଟା ଭିତରେ ମୁଁ ଅଫିସକୁ ଯିବି.. ଯାହା ହବ, ମତେ କହିବନି..

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଫୋନରେ ହୋଇଥିଲା ଏମିତି ବାର୍ତାଳାପ । ଏହି ଫୋନକଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଫାଇଲ ଧରି ତାଙ୍କ ନିକଟକୁ ଆସିବାକୁ ଫୋନରେ ଚାପ ପକାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଓଏଏସ ସଂଘ ଏତଲା ଦେଇଛି । ୩୨୩, ୩୨୫, ୩୪୧, ୨୯୪, ୫୦୬ ଆଦି ଦଫାରେ ମାମଲା ରୁଜୁ ହୋଇଛି । ବାରିପଦା ସଦର ଏସଡିପିଓ କହିଛନ୍ତି, ଆଇନ ଅନୁସାରେ ପଦକ୍ଷେପ ନିଆଯିବ ।

ଶୁକ୍ରବାର ଦିନ ଦୁଇ ସରକାରୀ ଅଧିକାରୀ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ର, ମନ୍ତ୍ରୀଙ୍କ ଅଫିସରେ ପହଁଚିବା ପରେ ସେମାନଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ଆହତ ହେବା ପରେ ସେମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ଅଭିଯୋଗକୁ ଖଣ୍ଡନ କରିଥିଲେ କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ମଧ୍ୟ ସରକାରୀ ଅଧିକାରୀଙ୍କୁ ଧମକ୍ ଓ ଗାଳି ଦେଇ ବିବାଦୀୟ ହୋଇଥିଲେ