ମାନସ ଦାସ ଗିରଫ ନେଇ ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି । ପ୍ରମାଣ ମିଳିବା ପରେ ଗୁରୁଜୀ ହାତରେ ପଡିଲା ହାତକଡି । ଲାଗିଛି ହତ୍ୟା, ଅପହରଣ ଭଳି ସଙ୍ଗୀନ ଦଫା ।

312

କନକ ବ୍ୟୁରୋ : ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ କାହିଁକି ଗିରଫ ହେଲେ ସେନେଇ ସାମ୍ବାଦିକ ସମ୍ମିଳନୀରେ ବିଷଦ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଅଗଷ୍ଟ ୩ରେ ସଙ୍ଗଠିତ ହୋଇଥିବା ଏକ ହତ୍ୟା ଘଟଣାର ପ୍ରଚ୍ଛଦ ପଟର ଚେହେରା ହେଉଛନ୍ତି ମାନସ ଦାସ । ହତ୍ୟା ମାମଲାରେ ଘଟଣା ଘଟିବାର ଦିନକ ଭିତରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲାର ପଛରେ ଥିବା ବ୍ୟକ୍ତିଙ୍କ ନିକଟରେ ପୋଲିସ ପହଞ୍ଚି ପାରିନଥିଲା ।

ଏହାରି ଭିତରେ ଏକ ଭାଇରାଲ ଭିଡିଓରେ ବାପା, ପୁଅଙ୍କୁ ନିସ୍ତୁକ ମାଡ ମାରିବା ମାମଲାରେ ମାନସ ଦାସ ଓ ମନୋରଞ୍ଜନ ଦାସ ପ୍ରଥମ ଥର ପାଇଁ ବିବାଦ ଘେରକୁ ଆସିଥିଲେ ଆଉ ଉଭୟଙ୍କ ବିରୋଧରେ ଅଭିଯୋଗ ଲମ୍ବି ଚାଲିଥିଲା । ହତ୍ୟା ମାମଲାର ଠିକ୍ ମାସେ ପରେ ଗୁରୁଜୀ ବାପା, ପୁଅଙ୍କୁ ପୋଲିସ ଗିରଫ କରିଛି । ଏହା ପଛରେ ରୋଚକ ଚିତ୍ରକୁ ପୋଲିସ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛି ।

ଯାହାକୁ ଗତ କିଛି ଦିନ ଧରି ଲଗାତାର ମିଡିଆ ଦେଖାଇ ଚାଲିଥିଲା । ପୋଲିସ କହିଛି ହତ୍ୟା ମାମଲାରେ ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୋଲିସ ଯେତେବେଳେ ଜେରା କରିଥିଲା ସେତେବେଳେ ଏଫଆଇଆର ବାହାରେ ଆଉ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆସିଲା । ପ୍ରତ୍ୟକ୍ଷ ଭାବେ ଅପରାଧ ଘଟୁଥିବା ସ୍ଥାନରେ ଉପସ୍ଥିତ ନଥିଲେ ବି ପରୋକ୍ଷ ଭାବେ ମାନସ ଦାସ ଏହାକୁ ଘଟାଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ଅପରାଧିକ ଷଡଯନ୍ତ୍ର କରି ତାଙ୍କୁ ମାରିବା, ଶବ ପୋଡିଦେଇ ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗ ଆସିଥିଲା ମାନସ ଦାସ ନାଁରେ । ଆଉ ଯେତେବେଳେ ପୋଲିସ ଉଭୟ ବାପା, ପୁଅଙ୍କୁ ବିରୋଧରେ ଆପାତତଃ ପ୍ରମାଣ ପାଇଗଲା, ସେତେବେଳେ ଉଭୟଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ଆଉ ଯିଏ ବି ଚାହିଁବ ଉଭୟ ବାପା, ପୁଅଙ୍କ ବିରୋଧରେ ଅଭିଯୋଗ କରିପାରିବେ । ଏବଂ ସେସବୁ ମାମଲାର ମଧ୍ୟ ତଦନ୍ତ ଆଗେଇବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ।