ସାରା ଦେଶରେ କରୋନା ଟେନସନ । କରୋନା ପ୍ରଭାବିତ କ୍ଷେତ୍ର ପାଇଁ ଖୁବଶୀଘ୍ର ପ୍ୟାକେଜ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର

1,635

କନକ ବ୍ୟୁରୋ : କରୋନା ଭୁତାଣୁ ଦ୍ୱାରା ପ୍ରଭାବିତ ହୋଇଥିବା କ୍ଷେତ୍ର ପାଇଁ ଖୁବ୍ ଶୀଘ୍ର ଏକ ପ୍ୟାକେଜ୍ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ତେବେ ନିର୍ଦ୍ଧିଷ୍ଟ ଭାବେ କେବେ ଏହି ପ୍ୟାକେଜ୍ ବା ଆର୍ଥିକ ସହାୟତା ରାଶି ଘୋଷଣା ହେବ ତାହା ସ୍ପଷ୍ଟ କରି ନାହାଁନ୍ତି ନିର୍ମଳା ସୀତାରମଣ । ଗତକାଲି ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ, ପଶୁ ପାଳନ ଏବଂ କ୍ଷୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କ ସମ୍ବୋଧନ କରିବା ଅବସରରେ ଏ ସଂପର୍କରେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅର୍ଥନୈତିକ ସ୍ଥିତିର ମୁକାବିଲା ପାଇଁ ଏକ ଟାକ୍ସଫୋର୍ସ ଗଠନ କରାଯିବ । ଆଉ ଏହି ଟାକ୍ସଫୋର୍ସ କରୋନା ଯୋଗୁଁ ପ୍ରଭାବିତ ଅର୍ଥନୀତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବେ । ତେବେ ଏହି ଟାକ୍ସଫୋର୍ସ ବର୍ତମାନ ସୁଦ୍ଧା ଗଠନ ହୋଇନଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଆଜି ପୁଣି ଏକ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।