କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କଲା ଅନଲକ୍ ୨.୦ର ଗାଇଡଲାଇନ୍ । ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ୍ । ଖୋଲିବନି ମଲ୍, ଜିମ୍, ସୁଇମିଂ ପୁଲ ଓ ବାର । ଏଣିକି ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ।

2,048

କନକ ବ୍ୟୁରୋ : ଜୁନ ୩୦ ତାରିଖରେ ଅନଲକ୍-୦୧ ଶେଷ ହେବାକୁ ଯାଉଥିବା ବେଳେ ଜୁଲାଇ ୧ରୁ ଆରମ୍ଭ ହେବ ଅନଲକ୍ – ୨ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ସବୁଠୁ ବଡ଼ ଦିଗଟି ହେଉଛି କଂଟେନମେଂଟ ଜୋନ ବା ଅବରୋଧ ଅଂଚଳରେ ପୂର୍ବଭଳି ଲକଡାଉନ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ତେବେ ଏହି ଅଂଚଳକୁ ଗମନାଗମନକୁ ବାରଣ କରାଯାଇଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେଉଛି ରାତି କର୍ଫ୍ୟୁର ସମୟ ନିର୍ଘଂଟ ବଦଳାଇଛନ୍ତି କେନ୍ଦ୍ର ସରକାର । ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଜାରି ରହିବ । ଏହି ସମୟରେ କେବଳ ଜରୁରୀ ସେବା ଓ ମାଲ ପରିବହନକୁ ଅନୁମତି ମିଳିବ । ତେବେ ସଂପୃକ୍ତ ରାଜ୍ୟ ସରକାର ନିଜ ଅଂଚଳ ପାଇଁ ନିର୍ଦ୍ଦେଶନାମା ଜାରି କରିବେ ।

ଅବରୋଧ ଅଂଚଳରେ ଲକଡାଉନ୍ ବଳବତର ରହିବ । ଏହାଛଡ଼ା ଦେଶର ସମସ୍ତ ଅଂଚଳରେ ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ, କୋଚିଂ ସେଂଟର ଜୁଲାଇ ୩୧ ଯାଏଁ ବନ୍ଦ ରହିବ । ଅନଲାଇନ୍ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ତେବେ ଜୁଲାଇ ୧୫ ତାରିଖ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ତାଲିମ୍ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିବ । ସେଥିପାଇଁ ଏସଓପି ଜାରି କରିବେ ସରକାର ।

ସେପଟେ ମେଟ୍ରୋ ରେଳ ସେବା, ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଜାରି ରହିବ । ସେହିପରି ସିନେମା ହଲ୍, ସୁଇମିଂ ପୁଲ, ଜିମ୍, ମନୋରଞ୍ଜନ ପାର୍କ, ଥିଏଟର, ବାର୍ ଓ ଅଡିଟୋରିମ୍ ଆଦି ବନ୍ଦ ରହିବ । ସାମାଜିକ ଉତ୍ସବ ଧାର୍ମିକ ଓ ରାଜନୈତିକ ସମାବେଶ, ସାଂସ୍କୃତିକ ଓ ଶିକ୍ଷା ସମାବେଶ, କ୍ରୀଡ଼ା, ମନୋରଂଜନ କାର୍ଯ୍ୟକ୍ରମ ଆଦି ପୂର୍ବଭଳି ବନ୍ଦ ରହିବ । ପୂର୍ବ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ ।

ସେହିପରି ବିବାହ ଉତ୍ସବରେ ୫୦ ଜଣ ଓ ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ସାମିଲ ହୋଇପାରିବେ । ରାଜ୍ୟ-ରାଜ୍ୟ ମଧ୍ୟରେ ଗମନାଗମନ କଟକଣା ମୁକ୍ତ ହେବ ଏବଂ ରାଜ୍ୟ ଭିତରେ ଚଳାଚଳ ନେଇ ପ୍ରତିବନ୍ଧକ ନାହିଁ । ଏପରିକି ଯେଉଁ ଦେଶ ସହ ଅନୁମତି ରହିଛି, ସେହି ଦେଶଗୁଡିକୁ ମଧ୍ୟ ଯିବାଆସିବା କରିବା ଓ ମାଲ ପରିବହନ ପାଇଁ ଅନୁମତି ମିଳିବ । ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରାଯିବ । କଂଟେନମେଂଟ ଜୋନ୍ ବାହାରେ କେଉଁ କାର୍ଯ୍ୟକଳାପ ଜାରି ରହିବ ନିଷ୍ପତି ନେବେ ରାଜ୍ୟ ସରକାର । ୬୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି, ୧୦ ବର୍ଷରୁ କମ୍ ବୟସର ଶିଶୁ, ରୋଗୀ, ଗର୍ଭବତୀ ମହିଳାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।