ତାଣ୍ଡବ ରଚିଥିଲା ଫୋନି, ସହାୟତାର ହାତ ବଢାଇଲା କେନ୍ଦ୍ର ସରକାର । ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଟଙ୍କାର ମିଳିବ ସହାୟତା

414

କନକ ବ୍ୟୁରୋ : ଆକାଶମାର୍ଗରୁ ବାତ୍ୟା ଫୋନିର ଅନୁଧ୍ୟାନ କରିବା ପରେ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ମୋଦି । ଏହାସହ ବାତ୍ୟା ଫୋନିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାପୂର୍ବରୁ ଫୋନିର ମୁକାବିଲା ପାଇଁ ୩୪୧ କୋଟି ଟଙ୍କା ସହାୟତା ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର ।

ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ଆକଳନ ପରେ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଆକାଶମାର୍ଗରୁ ସର୍ଭେ କରାଯାଇଛି । ୧୪ ହଜାର ଗାଁ ପ୍ରଭାବିତ ହୋଇଛି । ବାତ୍ୟା ପୂର୍ବରୁ ରାଜ୍ୟ ସରକାର ପୁରା ପ୍ରସ୍ତୁତି ସହ କାମ କରିଛନ୍ତି । ପ୍ରଶାସନ କଥା ମାନିଥିବାରୁ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଓଡିଶା ଲୋକେ, ମତ୍ସ୍ୟଜୀବୀମାନେ ପ୍ରଶାସନ କଥା ମାନିଥିଲେ । ପ୍ରଶାସନ କଥା ମାନି ନିଜ ନିଜ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳକୁ ଯାଇଥିଲେ । ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା କିଛି ଛୋଟ କଥା ନୁହେଁ । ରାଜ୍ୟ ସରକାରଙ୍କ ଏଭଳି ଏକ ବଡ ପଦକ୍ଷେପ ପାଇଁ ବହୁତ କମ ଲୋକଙ୍କ ଜୀବନ ଗଲା । କୋଠା ଭାଙ୍ଗିଛି, କୋଠା ତିଆରି ହୋଇଯିବ । କିନ୍ତୁ ଜୀବନ ବଞ୍ଚିଯିବା ବଡ କଥା ବୋଲି ମୋଦି କହିଛନ୍ତି । ଏବେ ପାଣି, ବିଜୁଳି ଏବଂ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ନବୀନ ସରକାର ବହୁତ ଭଲ ପ୍ଲାନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

image courtesy : ANI

ସେପଟେ ବାତ୍ୟା ଫୋନିରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ରାଜ୍ୟ ସରକାର । ଯାହା ସାରା ବିଶ୍ୱରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବାତ୍ୟାରେ କ୍ଷୟକ୍ଷତି ହୋଇଛି ସତ, କିନ୍ତୁ ୯୯ ମହାବାତ୍ୟା ଭଳି ଏଥର ସେହି ପରିମାଣରେ ଜୀବନ ହାରିନାହାନ୍ତି ଲୋକେ । ଆଉ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡିଶାରେ ବାତ୍ୟା ଫୋନିର ପ୍ରକୋପରେ ଯେଉଁ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରିବାକୁ ପୁଣିଥରେ କେନ୍ଦ୍ରୀୟ ଟିମ ଆସିବେ । ଏବେ ପିଏମଓରୁ ଆସିଥିବା ଟିମ୍ ପ୍ରଭାବିତ ଅଞ୍ଚଳର ତର୍ଜମା କରିବେ ବୋଲି କହିଛନ୍ତି ମୋଦି । ଏପରିକି ଆଗକୁ ଏଭଳି ଦୁର୍ବିପାକର ସ୍ଥାୟୀ ପ୍ରତିକାର ପାଇଁ ବ୍ଲୁ -ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ କହିଛନ୍ତି ମୋଦି ।