ରାଜ୍ୟ-ରାଜ୍ୟ ମଧ୍ୟରେ ଓ ରାଜ୍ୟ ଭିତରେ ଯାତାୟତ ଉପରେ କଟକଣା ନଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତାଗିଦ: କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନଲକ୍-୩ ମାର୍ଗଦର୍ଶିକାରେ ଥିବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ

844

କନକ ବ୍ୟୁରୋ: ରାଜ୍ୟ-ରାଜ୍ୟ ମଧ୍ୟରେ ଓ ରାଜ୍ୟ ଭିତରେ ଯାତାୟତ ଉପରେ କୌଣସି କଟକଣା ନଲଗାଇବା ପାଇଁ ପୁଣି ଥରେ ତାଗିଦ କରିଛନ୍ତି କେନ୍ଦ୍ର ସରକାର । ଏ ନେଇ କେନ୍ଦ୍ରଗୃହ ମନ୍ତ୍ରାଳୟର ଅନ୍ଲକ୍-୩ ମାର୍ଗଦର୍ଶିକାରେ ଥିବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ଏହି ଚିଠିରେ ଲେଖିଛନ୍ତି ଯେ ଗାଇଡ୍ଲାଇନ୍ ଅନୁଯାୟୀ ବ୍ୟକ୍ତିଙ୍କ ଯାତାୟତ କିମ୍ବା ସାମଗ୍ରୀର ପରିବହନ ନେଇ କୌଣସି କଟକଣା ନାହିଁ । ଏଥିପାଇଁ ସ୍ୱତନ୍ତ୍ର ଅନୁମତି, ଅନୁମୋଦନ କିମ୍ବା ଇ-ପରମିଟ୍ର ମଧ୍ୟ ଆବଶ୍ୟକତା ନାହିଁ । ରାଜ୍ୟ-ରାଜ୍ୟ ଭିତରେ, ରାଜ୍ୟ ଭିତରେ, ଏପରିକି ଚୁକ୍ତି ରହିଥିବା ପଡ଼ୋଶୀ ଦେଶ ମଧ୍ୟରେ ସଡ଼କ ପଥରେ ଅନାୟାସରେ ଚଳାଚଳ କରିହେବ ।

କେନ୍ଦ୍ରଗୃହ ସଚିବ ଅଜୟ ଭାଲ୍ଲା, ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି, ଦେଶର କିଛି ଅଂଚଳରେ ଲୋକଙ୍କ ଚଳାଚଳ ଉପରେ ଓ ମାଲ ପରିବହନରେ ସ୍ଥାନୀୟ ସ୍ତରରେ କଟକଣା ଲାଗିଥିବା ନେଇ ଅଭିଯୋଗ ଆସୁଛି । ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଲଗାଯାଉଥିବାରୁ ସପ୍ଲାଏ ଚେନ୍ ବା ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେଉଛି । ଫଳରେ ଏହା ଅର୍ଥନୈତିକ କାର୍ଯ୍ୟକଳାପ ଓ ଲୋକଙ୍କ ରୋଜଗାରକୁ ପ୍ରଭାବିତ କରୁଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏଭଳି କଟକଣା, ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ମାର୍ଗଦର୍ଶିକାର ଉଲଂଘନ ବୋଲି ତାଗିଦ କରିଛନ୍ତି ଅଜୟ ଭାଲ୍ଲା । ତେଣୁ ଯାତାୟତ ଉପରେ କୌଣସି କଟକଣା ଜାରି ନକରିବାକୁ ରାଜ୍ୟଗୁଡିକୁ ସେ ଅନୁରୋଧ କରିଛନ୍ତି । ଅଗଷ୍ଟ ମାସ ପାଇଁ ଜାରି କରା ଯାଇଥିବା ଅନଲକ୍-୩ ଗାଇଡଲାଇନ୍କୁ କଡ଼ାକଡ଼ି ପାଳନ କରିବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।