ସୁପ୍ରିିମ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା : କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଦେଇ ପାରିବେ ନାହିଁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ।

200

କନକ ବ୍ୟୁରୋ : କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଉତ୍ତର ରଖା ଯାଇଛି । କେନ୍ଦ୍ର ସରକାର ସୁପ୍ରିମ କୋର୍ଟକୁ କହିଛନ୍ତି କି କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଇ ପାରିବ ନାହିଁ । କେନ୍ଦ୍ର ସରକାର କହିଛନ୍ତି କି ପ୍ରାକୃତିକ ବିପର୍ଯୟ ଆଇନ ମୁତାକବ କେବଳ ଭୂକମ୍ପ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ ଏହି ସହାୟତା ରାଶି ଯୋଗାଇ ଦିଆଯିବ  । ଯଦି କରୋନା ସଂକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଆଇନ ମୁତାବକ ସରକାର କ୍ଷତି ପୂରଣ ଯୋଗାଇ ଦେବେ ତେବେ ଅନ୍ୟ ରୋଗରେ ମୃତ୍ୟୁ ହେଉଥିବା ଲୋକଙ୍କ ପରିବାରକୁ ବି ଏହି ରାଶି ଯୋଗାଇ ଦେବାକୁ ପଡିବ ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଛନ୍ତି କି ପ୍ରତ୍ୟେକ କରୋନା ସଂକ୍ରମିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଆର୍ଥିକ ସାମର୍ଥ୍ୟ ବାହାରେ । କହିରଖୁ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ସରକାର ପ୍ରାକୃତିକ ବିପର୍ଯ୍ୟୟ ଆଇନ ମୁତାବକ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ସୁପ୍ରିମକୋର୍ଟରେ ମାମଲା ଦାଖଲ ହୋଇଥିଲା । ଏହି ଯାଚିକା ରାଜ୍ୟସରକାର ମାନଙ୍କ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିମୟ ୨୦୦୫ ମୁତାବକ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ଅନୁରୋଧ କରାଯାଇଥିଲା । ଏନେଇ କୋର୍ଟକୁ କେନ୍ଦ୍ର ସରକାର କହିଛନ୍ତି କି ପ୍ରଥମରୁ କରୋନାର ମ୍ୟାନେଜମେଣ୍ଟ ନେଇ ରାଜ୍ୟ ସରକାରମାନେ ଆର୍ଥିକ ବୋଝ ସହୁଛନ୍ତି । ତେଣୁ ଏବେ ଯଦି ରାଜ୍ୟ ସରକାରମାନେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ ତେବେ କରୋନା ମୁକାବିଲା କରିବାରେ ରାଜ୍ୟ ସରକାରମାନେ ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ପ୍ରଭାବିତ ହେବ ।

କହିରଖୁ କି କରୋନା ସଂକ୍ରମଣ ଫଳରେ ଦେଶରେ ୩,୮୬,୭୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି କି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଯେଉଁ ମୃତ୍ୟୁ ପ୍ରମାଣପତ୍ର ମିଳିବ ସେଥିରେ ମୃତ୍ୟୁର କାରଣ କରୋନା ସଂକ୍ରମଣ ବୋଲି ଲେଖାଯିବ ।