ବେକାରି ତଥ୍ୟ ଦେଲେ କେନ୍ଦ୍ର ସରକାର: ଭାରତ ତୁଳନାରେ ଓଡିଶାର ବେକାରି ହାର ଅଧିକ

87

କନକ ବ୍ୟୁରୋ: ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ । ଦେଶରେ ଏହି ହାର ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ରହିଛି ୩.୯ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ତେଜିଛି ରାଜନୀତି । କଂଗ୍ରେସ ଓ ବିଜେପି ଏହାକୁ ନେଇ ବିଜେଡିକୁ ଘେରିଛନ୍ତି । ପ୍ରତିକ୍ରିୟାରେ ବିଜେଡି କହିଛି ଓଡିଶାରେ ନିଯୁକ୍ତି ଓ ରୋଜଗାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ।

ଦେଶରେ ବେକାରି ସମସ୍ୟାକୁ ନେଇ ବଡ ବିତର୍କ ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା ମଧ୍ୟ କରି ଆସୁଛନ୍ତି ବିରୋଧୀ । ଏସବୁ ଭିତରେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀ ରାମେଶ୍ୱର ତେଲି ସଂସଦରେ ଦେଶର ଓ ରାଜ୍ୟଗୁଡିକର ବେକାରି ହାର ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି । କରୋନା ମହାମାରୀ ପରେ ଦେଶରେ ବେକାରି ହାର ହ୍ରାସ ପାଉଥିବା ଏହି ତଥ୍ୟରୁ ଜଣାପଡୁଛି ।

୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ବେକାରି ହାର ୧ ପ୍ରତିଶତ ହ୍ରାସ ପାଇଛି । ୨୦୨୦-୨୧ରେ ବେକାରି ହାର ୪.୨ ପ୍ରତିଶତ ରହିଥିବା ବେଳେ ବର୍ଷକ ପରେ ତାହା ୦ ଦଶମିକ ୧ ପ୍ରତିଶତ ହ୍ରାସ ପାଇଥିଲା । ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨ ପ୍ରତିଶତରେ ପହଁଚିଛି ।

ଦେଶର ବେକାରି ହାର
ବର୍ଷ ବେକାରି ହାର
୨୦୨୦-୨୧ ୪.୨ ପ୍ରତିଶତ
୨୦୨୧-୨୨ ୪.୧ ପ୍ରତିଶତ
୨୦୨୨-୨୩ ୩.୨ ପ୍ରତିଶତ

ତେବେ ବଡ କଥା ହେଉଛି, ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ ବୋଲି ପିଏଲଏଫ୍ ବା ପିରିୟଡିକ ଲେବର ଫୋର୍ସ ସର୍ଭେରୁ ଜଣାପଡିଛି । ଦେଶରେ ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ୩.୯ ପ୍ରତିଶତ ରହିଛି ବେକାରି ହାର । ନଜର ପକାନ୍ତୁ ୩ ବର୍ଷର ତଥ୍ୟ ଉପରେ ୨୦୨୦-୨୧ରେ ଓଡ଼ିଶାର ବେକାରି ହାର ୫.୩ ପ୍ରତିଶତ ରହିଥିଲା, ୨୦୨୧-୨୨ରେ ଏହା ୬ ପ୍ରତିଶତକୁ ବୃଦ୍ଧି ପାଇଥିଲା । ତେବେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୯ ପ୍ରତିଶତରେ ପହଁଚିଛି ।

ଓଡିଶାର ବେକାରି ହାର
ବର୍ଷ ବେକାରି ହାର
୨୦୨୦-୨୧ ୫.୩ ପ୍ରତିଶତ
୨୦୨୧-୨୨ ୬.୦ ପ୍ରତିଶତ
୨୦୨୨-୨୩ ୩.୯ ପ୍ରତିଶତ

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡ଼ିଶାର ବେକାରି ହାର କମିଥିଲେ ବି ଜାତୀୟ ହାର ତୁଳନାରେ ଅଧିକ ରହିଛି । ପୂର୍ବରୁ ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନିମି ବା ସିଏମଆଇଇ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଓଡ଼ିଶାର ବେକାରି ହାର ଦେଶରେ ସବୁଠୁ କମ । ୨୦୨୨ ଡିସେମ୍ବର ମାସରେ ୧ ପ୍ରତିଶତ ତଳେ ରହିଥିଲା ଓଡିଶାର ବେକାରି ହାର ।

ଓଡିଶାରେ ବେକାରି ତଥ୍ୟକୁ ନେଇ ତେଜିଛି ରାଜନୀତି । ବିଜେପି କହିଛି ନିଯୁକ୍ତି ନେଇ ଯୁବକମାନଙ୍କୁ ପ୍ରତାରଣା କରାଯାଇଛି । କଂଗ୍ରେସର ଅଭିଯୋଗ, ଦେଶରେ କି ରାଜ୍ୟରେ ବେକାରୀ କମିନାହିଁ । ପ୍ରତିକ୍ରିୟାରେ ବିଜେଡି କହିଛି ଓଡିଶାରେ ନିଯୁକ୍ତି ଓ ରୋଜଗା. ଅନ୍ୟ ରାଜ୍ୟ ତୁଳନାରେ ଆଗରେ – ୨୦୨୨-୨୩ରେ ଅଧିକ ବେକାରି ହାର ଥିବା ରାଜ୍ୟ ଭିତରେ କେରଳର ବେକାରି ହାର ୭ ପ୍ରତିଶତ, ପଂଜାବ ଓ ହରିଆନାରେ ବେକାରି ହାର ୬.୧ ପ୍ରତିଶତ ରହିଛି ।