କେନ୍ଦ୍ର ବଜେଟ୍ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ମୋଦୀ ସରକାର ଦେଖାଇଲେ ବଡ଼ ସ୍ୱପ୍ନ, ୨୦୨୫ରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ରୋଡମ୍ୟାପ୍

208

କନକ ବ୍ୟୁରୋ: ଆସନ୍ତାକାଲି ଆଗତ ହେବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ କରିବେ ସାଧାରଣ ବଜେଟ୍ । ତେବେ ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୨୦୧୯-୨୦ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ତେବେ ୨୦୨୫ରେ ଭାରତର ଅର୍ଥନୀତିର ଆକାର ୫ ଟ୍ରିଲିୟନ ଡଲାର ବା ପ୍ରାୟ ୩୫୦ ଲକ୍ଷ କୋଟି ହେବ ବୋଲି ସ୍ୱପ୍ନ ଦେଖାଇଛନ୍ତି ମୋଦି ସରକାର ।

ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚିଫ୍ ଇକୋନମିକ ଆଡଭାଇଜର କେ. ସୁବ୍ରମଣ୍ୟମଙ୍କ ପ୍ରସ୍ତୁତ ଏହି ସର୍ଭେ ରିପୋର୍ଟରେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ୍ ଘରୋଇ ଉତ୍ପାଦର ଅଭିବୃଦ୍ଧି ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଯାହା ଗତ ଆର୍ଥିକ ବର୍ଷରେ ୬.୮ ପ୍ରତିଶତ ରହିଥିଲା । ତେବେ ୨୦୨୫ରେ ଭାରତର ଅର୍ଥନୀତିର ଆକାର ୫ ଟ୍ରିଲିୟନ ଡଲାର ବା ପ୍ରାୟ ୩୫୦ ଲକ୍ଷ କୋଟି ହେବ ବୋଲି ସ୍ୱପ୍ନ ଦେଖାଇଛନ୍ତି ମୋଦୀ ସରକାର । ତେବେ ଏହି ଲକ୍ଷ୍ୟ ହାସଲ ପାଇଁ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ଆବଶ୍ୟକ ବୋଲି ଅର୍ଥନେତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

୨୦୧୮-୧୯ ଅର୍ଥନୈତିକ ସର୍ଭେ ରିପୋର୍ଟର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ନଜର ପକାନ୍ତୁ ।
– ୨୦୧୯-୨୦ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ଆକଳନ
– ଚଳିତ ଆର୍ଥିକ ବର୍ଷରେ ହ୍ରାସ ପାଇପାରେ ତୈଳ ଦର
– ୫.୮ ପ୍ରତିଶତକୁ ହ୍ରାସ ପାଇପାରେ ବିତ୍ତୀୟ ନିଅଂଟ
– ଖାଦ୍ୟଶସ୍ୟ ଉତ୍ପାଦନ ୨୮୩.୪ ମିଲିୟନ ଟନ୍ ଲକ୍ଷ୍ୟ
– ଆମଦାନୀ ବୃଦ୍ଧି ହାର ୧୫.୪ ପ୍ରତିଶତ, ରପ୍ତାନୀ ବୃଦ୍ଧି ହାର ୧୨.୫ ପ୍ରତିଶତ ଆକଳନ
– ପ୍ରତ୍ୟକ୍ଷ ବିଦେଶ ନିବେଶ ବୃଦ୍ଧି ଆଶା
– ଭିଜନ୍ ୨୦୨୫: ୫ ଟ୍ରିଲିୟନ ଡଲାର ଅର୍ଥନୀତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, “୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ପଥ ପ୍ରସ୍ତୁତ କରିଛି । ସାମାଜିକ କ୍ଷେତ୍ରର ଅଗ୍ରଗତି, ଟେକ୍ନୋଲଜିର ପ୍ରୟୋଗ ଓ ଶକ୍ତି ସୁରକ୍ଷା ଉପରେ ଆଲୋକପାତ କରିଛି ସର୍ଭେ ରିପୋର୍ଟ ।” ଭାରତୀୟ ଅର୍ଥନୀତିରେ ଆଖିଦୃଶିଆ ଅଭିବୃଦ୍ଧି ଦେଖା ଦେଇଥିବା କହି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତି ସୁବ୍ରମଣ୍ୟମ କହିଛନ୍ତି, ଚୀନ ଏବେ ଅଧିକ ସଂଚୟ ଓ ନିବେଶ ଉପରେ ଜୋର ଦେଉଛି । ଭାରତ ମଧ୍ୟ ସତ ମାର୍ଗରେ ଏହି ବାଟରେ ଆଗେଇବା ଉଚିତ ବୋଲି ସେ କହିଛନ୍ତି ।