କନକ ବ୍ୟୁରୋ: କରୋନା କଟକଣା ନେଇ ବଡ ଖବର । ୪ ରାଜ୍ୟକୁ କେନ୍ଦ୍ରର କଡା ଚିଠି । ଦେଶ କୋଭିଡ ଟିକାକରଣ ଆରମ୍ଭ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ୪ଟି ରାଜ୍ୟରେ ଅଚାନକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନେଇ ୪ଟି ରାଜ୍ୟକୁ ଚିଠି ଲେଖି ସତର୍କ ରହିବା ସହ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ ଓ ପଶ୍ଚିମବଙ୍ଗ ।

Advertisment

ତେବେ ଦେଶର ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟାର ୫୯ ପ୍ରତିଶତ ଆକ୍ରାନ୍ତ ଏହି ୪ ରାଜ୍ୟର ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏଥିସହ ୨୦୨୦ରୁ କୋଭିଡ ମୁକାବିଲା ପାଇଁ ଆରମ୍ଭ ହୋଇଥିବା ଟେଷ୍ଟ, ଟ୍ରାକ ଓ ଟ୍ରିଟ ରଣନୀତିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଭଳି କୋଭିଡ ମୁକାବିଲା ଗାଇଡ୍ଲାଇନ୍ ପାଳନ ପାଇଁ ଲୋକଙ୍କୁ ଅପିଲ କରିବାକୁ ୪ ରାଜ୍ୟର ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଦେଶ ଟିକାକରଣ ପାଇଁ ପ୍ରସ୍ତୁତ ହେଉଥିବାରୁ କୋଭିଡ ମୁକାବିଲାରେ ଆଦୌ ହେଳା ନହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।