ଏପ୍ରିଲ ମାସ ପାଇଁ ଆସିଲା କେନ୍ଦ୍ରର କରୋନା ଗାଇଡଲାଇନ । ଜାଣନ୍ତୁ ନୂଆ ଗାଇଡଲାଇନରେ କଣ ରହିବ କଟକଣା?

3,096

କନକ ବ୍ୟୁରୋ : ଦେଶରେ କରୋନା କାୟା ମେଲାଉଥିବା ବେଳେ ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କୋଭିଡ କଟକଣାକୁ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହାବାଦ୍ କୋଭିଡ ନିୟମ ପାଳନ ପାଇଁ ରାଜ୍ୟ ଗୁଡିକ କଡା ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ସରକାର । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ ପ୍ରୋଟୋକଲକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି କଣ୍ଟେନମେଣ୍ଟ ଜୋନକୁ ସଠିକ ଭାବେ ଚିହ୍ନଟ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇ ପାରିବେ ବୋଲି କୁହାଯାଇଛି ।ରାଜ୍ୟ ବାହାରକୁ ଯିବା ଆସିବା ଉପରେ କୌଣସି କଟକଣା ରହିବ ନାହିଁ । ତେବେ ଆରଟିପିସିଆର ଟେଷ୍ଟ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆରଟିପିସିଆର ଟେଷ୍ଟକୁ ୭୦ ପ୍ରତିଶତ ବଢାଇବାକୁ ନିର୍ଦ୍ଦେଶ । ନୂଆ ସଂକ୍ରମିତଙ୍କୁ ଚିହ୍ନଟ ସହ ଟ୍ରାକ କରି ସଙ୍ଗରୋଧରେ ରଖିବାକୁ କୁହାଯାଇଥିବା ବେଳେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନ, ମଲ୍, ପାର୍କ, ଦୋକାନ ବଜାର, ହୋଟେଲ ଖୋଲା ରଖାଯାଇପାରିବ ।