ଗାଁ ଆଡକୁ ମୁହାଁଉଛି କରୋନା ଭୂତାଣୁ । ଗ୍ରାମାଂଚଳ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର 

501

କନକ ବ୍ୟୁରୋ: ବିଦେଶରୁ ଦେଶ ଓ ମହାନଗରରୁ ସହର ଦେଇ ଏବେ ଗାଁରେ ମାଡ଼ି ଚାଲିଛି ମହାମାରୀ । ଦେଶର କିଛି ସ୍ଥାନରେ ସ୍ଥିତି ଏମିତି ହେଲାଣୀ ଯେ, ସହର ତୁଳାନରେ ଗାଁର ସଂକ୍ରମଣ ହାର ଅଧିକ ରହିଛି । ଆଉ ଏଭଳି ସ୍ଥିତିରେ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ

ଗ୍ରାମାଂଚଳ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ । ଏଥିରେ କୁହାଯାଇଛି-

– ପ୍ରତି ଗାଁରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଂଚ କରାଯାଉ

– ଜ୍ୱର କିମ୍ବା ଶ୍ୱାସ ସମସ୍ୟା ଥିବା ଲୋକଙ୍କ ଉପରେ ଆଶା କର୍ମୀମାନେ ନଜର ରଖନ୍ତୁ

– ଘରୋଇ ସଙ୍ଗରୋଧରେ ଥିବା ପଜିଟିଭ୍ ରୋଗୀଙ୍କ ଉପରେ ଧ୍ୟାନ ଦିଆଯାଉ

– ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନେ ଟେଲିଫୋନ୍ ଯୋଗେ ସ୍ୱାସ୍ଥ୍ୟ ପରାମର୍ଶର ବ୍ୟବସ୍ଥା କରନ୍ତୁ

– ଗୁରୁତର ରୋଗୀ ଓ ଅକ୍ସିଜେନ୍ ସମସ୍ୟା ଥିବା ରୋଗୀଙ୍କୁ ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାନ୍ତୁ

– ସମସ୍ତଙ୍କ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟ କିଟ୍ ଉପଲବ୍ଧ କରାଯାଉ

– ଆରଟିପିସିଆର୍ ଟେଷ୍ଟ ବଢ଼ାଇବା ପାଇଁ ପ୍ରଶିକ୍ଷଣ ଦିଆଯାଉ

ଏସବୁ ଭିତରେ ଗାଇଡଲାଇନ୍ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି । ଯଦି କୌଣସି ବ୍ୟକ୍ତି ୬ ଫୁଟ୍ ଦୂରତା ବଜାୟ ନରଖି, ୧୫ ମିନିଟ୍ରୁ ଅଧିକ ସମୟ ଧରିି କୌଣସି କରୋନା ରୋଗୀଙ୍କ ସଂଶ୍ପର୍ସରେ ଆସିଛନ୍ତି । ତେବେ ସେ ସଂଗରୋଧରେ ରହିବା ସହ କରୋନା ପରୀକ୍ଷା କରିନିଅନ୍ତୁ ।

ବଡ଼ କଥା ହେଉଛି ଗ୍ରାମାଂଚଳ ସ୍ୱାସ୍ଥ୍ୟ ଭିତିଭୂମୀ ମଜବୁତ କରିବା ପାଇଁ ଗାଇଡ୍ଲାଇନ୍ରେ ଜୋର ଦିଆଯାଇଛି । ରୋଗୀଙ୍କ ଅକ୍ସିଜେନ ମାତ୍ର ଉପରେ ଧ୍ୟାନ ରଖିବା ସହ ତୃଣମୂଳସ୍ତର ଯାଏଁ ସ୍ୱାସ୍ଥ୍ୟ ଉପକରଣ ପଠାଇବା ପାଇଁ ଗାଇଡ୍ଲାଇନ୍ରେ କୁହାଯାଇଛି । ସେହିପରି

-ଘରୋଇ ସଙ୍ଗରୋଧରେ ଥିବା ଲୋକଙ୍କୁ ଆଇସୋଲେସନ୍ କିଟ୍ ଦିଆଯାଉ

-ଏଥିରେ ପାରାସିଟାମଲ ବଟିକା, ଆଇଭରମ୍ୟାକସିନ୍, କାଶ ଔଷଧ ଏବଂ  ଡାକ୍ତରଙ୍କ ପରାମର୍ଶ ଅନୁସାରେ ମଲଟିଭିଟାମିନ୍ ଦେବା ପାଇଁ ଗାଇଡ୍ଲାଇନ୍ରେ କୁହାଯାଇଛି

ଭାରତର ପ୍ରାୟ ୭୩ ପ୍ରତିଶତ ଜନସଂଖ୍ୟା ଗ୍ରାମାଂଚଳରେ ବସବାସ କରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ କଲା ବେଳେ ମଧ୍ୟ ଗ୍ରମାଂଚଳର କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । ଆଉ ଏହାର ଠିକ୍ ଗୋଟିଏ ଦିନ ପରେ ଆସିଛି ଏହି ଗାଇଡଲାଇନ୍ ।