ଦିପାବଳୀରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

780

କନକ ବ୍ୟୁରୋ : ଦିପାବଳୀ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ମୁତାବକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀ ୩ ପ୍ରତିଶତ ଅଧିକ ମହଙ୍ଗା ଭାତ୍ତା ପାଇବେ । ସୂତ୍ର ସୂଚନା ମୁତାବକ ଆଜି କେନ୍ଦ୍ର କ୍ୟାବିନେଟ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ଦେବାକୁ ଥିବା ମହଙ୍ଗା ଭତ୍ତା ବୃଦ୍ଧି କରିବା ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିବା କୁହାଯାଉଛି । ଏନେଇ ସରକାରୀ ସ୍ତରରେ ଦିନ ୩ ଟାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେବେ ।

ଆଜି ଏହି ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ଡିଏ ୩୧ ପ୍ରତିଶତ ହୋଇଯିବ । ଚଳିତ ବର୍ଷ ଜୁଲାଇ ମାସରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ତଥା ଡିଆର ଦର ଜୁଲାଇ ୧ ତାରିଖରୁ ୧୧ ଅଙ୍କ ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିଲେ  । ଏହାଦ୍ୱାରା ଡିଏ ୧୭ ପ୍ରତିଶତରୁ ବୃଦ୍ଧି ପାଇ ୨୮ ପ୍ରତିଶତ ହୋଇଥିଲା । ଆଜି ଡିଏରେ ୩ ପ୍ରତିଶତ ବୃଦ୍ଧି ଫଳରେ ଡିଏ ୩୧ ପ୍ରତିଶତରେ ପହଂଚିଛି । ଅର୍ଥାତ କେନ୍ଦ୍ର କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ଦରମାର ୩୧ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ମିଳିବ ।