କନକ ବ୍ୟୁରୋ : କନକ ବ୍ୟୁରୋ : ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭ ପହଞ୍ଚିବା ପରେ କେନ୍ଦ୍ର ସରକାର, ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି । ସଂକ୍ରମଣ ହାର, ଆକ୍ରାନ୍ତଙ୍କ ସଂଖ୍ୟା କେତେ ଦିନରେ ଦ୍ୱିଗୁଣିତ ହେଉଛି, ଏସବୁ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅଧିକ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହ ବିବାହ ଓ ଅନ୍ତିମ ସଂସ୍କାରରେ କମ ଲୋକଙ୍କୁ ଅନୁମତି ଦେବାକୁ କହିଛନ୍ତି କେନ୍ଦ୍ର ସରକାର । ଓମିକ୍ରନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଛି ।
ସାରା ବିଶ୍ୱରେ ଓମିକ୍ରନ ଆତଙ୍କ ଖେଳାଇଥିବା ବେଳେ ଭାରତରେ ବି ଦିନକୁ ଦିନ କାୟା ମେଲାଇ ଚାଲିଛି କରୋନାର ନୂଆ ପ୍ରଜାତି । କିପରି ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯିବ, ଏନେଇ ରାଜ୍ୟଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର । କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ନଜର ପକାନ୍ତୁ ରାଜ୍ୟଗୁଡିକୁ କି କି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ଓମିକ୍ରନ: ସତର୍କ କଲା କେନ୍ଦ୍ର
ସଂକ୍ରମଣ ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି
ପଜିଟିଭିଟି ରେଟ୍ କେଉଁଠି ବଢୁଛି..
ଆକ୍ରାନ୍ତଙ୍କ ସଂଖ୍ୟା କେତେ ଦିନରେ ଦ୍ୱିଗୁଣିତ ହେଉଛି..
ଜିଲ୍ଲାରେ କେଉଁଠି ନୂଆ ଆକ୍ରାନ୍ତଙ୍କ କ୍ଲଷ୍ଟର ସୃଷ୍ଟି ହେଉଛି..
ସର୍ଭିଲାନ୍ସ ବଢ଼ାଇବା ପାଇଁ ପରାମର୍ଶ
କଣ୍ଟେନମେଣ୍ଟ ଜୋନ୍, ବଫର ଜୋନ୍ କରିବାକୁ ପରାମର୍ଶ
ଟିକାକରଣ ଉପରେ ଗୁରୁତ୍ୱ
ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ଶତ-ପ୍ରତିଶତ ଟିକାକରଣ ପାଇଁ ପରାମର୍ଶ
ଟେଷ୍ଟିଂ, ଜିନୋମ ସିକ୍ୱେନ୍ସିଂ ବଢ଼ାଇବା ପାଇଁ କୁହାଯାଇଛି
ଆବଶ୍ୟକ ପଡିଲେ ନାଇଟ କର୍ଫ୍ୟୁ ଲଗାଇବା
ଅଧିକ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ପରାମର୍ଶ
ବିବାହ ଓ ଅନ୍ତିମ ସଂସ୍କାରରେ କମ ଲୋକ ସାମିଲ ହେବାକୁ କୁହାଯାଇଛି
ଡେଲ୍ଟା ଭୂତାଣୁ ଠାରୁ ୩ ଗୁଣା ଅଧିକ ବେଗରେ ସଂକ୍ରମଣ ବଢ଼ୁଥିବାରୁ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିବା ସହ କିପରି ଏହାର ମୁକାବିଲା କରାଯିବ, ଏନେଇ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ଓମିକ୍ରନ ବିରୋଧରେ କାମ କରିବନି କପଡା ମାସ୍କ । ତ୍ରି-ସ୍ତରୀୟ ସର୍ଜିକାଲ୍ ମାସ୍କ କିମ୍ବା ଏନ୍-୯୫ ମାସ୍କ ବ୍ୟବହାର ପାଇଁ ପରାମର୍ଶ । ଓମିକ୍ରନ ଭୂତାଣୁ ସଂକ୍ରମଣ ରୋକିବା ଦିଗରେ କପଡା ମାସ୍କ କାମ କରିନପାରେ ବୋଲି କହିଛନ୍ତି ବିଶେଷଜ୍ଞ । ଏହାସହ କପଡା ମାସ୍କ ବଦଳରେ ୩ ଲେୟାର ମେଡିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଏନ୍-୯୫ ମାସ୍କ ଅଧିକ ଫଳପ୍ରଦ ବୋଲି କୁହାଯାଇଛି । କିଛି ରାଜ୍ୟରେ ଆଗକୁ ନିର୍ବାଚନ ଥିବାରୁ ଅଧିକ ସତର୍କ ପାଇଁ ସମ୍ପୃକ୍ତ ରାଜ୍ୟଗୁଡିକୁ କୁହାଯାଇଛି । ଟିକାକରଣ ଉପରେ ଗୁରୁତ୍ୱ ଦେବା ସହ ଯେଉଁ ସ୍ଥାନରେ ଟିକାକରଣ କମ୍ ହୋଇଛି, ସେହି ଅଞ୍ଚଳରେ ଘର ଘର ବୁଲି ସଚେତନ କରିବାକୁ କୁହାଯାଇଛି ।
Follow Us