କନକ ବ୍ୟୁରୋ : ଆମେରିକାର ସେଂଟର ଫର ଡିଜିଜ କଂଟ୍ରୋଲ ସିଡିସି କହିଥିଲା ହାଡଫୁଟି ଭଳି ସଂକ୍ରମିତ ହେବ କରୋନା ଭୂତାଣୁ । ବିଶେଷ କରି କରୋନାର ନୂଆ ପ୍ରକାର ଡେଲଟା ଭୂତାଣୁ ଦେଖାଦେବା ପରେ ଏହି ଆକଳନ କରାଯାଇଥିଲା । ସାରା ଦେଶରେ ଏବେ କରୋନା ଦ୍ୱିତୀୟ ଲହରର ପ୍ରଭାବ କମିନାହିଁ । ମେ’, ଜୁନରେ କରୋନା ଦ୍ୱିତୀୟ ଲହର ଶୀର୍ଷକୁ ଛୁଇଁ ନିମ୍ନଗାମୀ ହୋଇଥିବା ଦେଖାଯାଇଥିଲା । ହେଲେ ଏବେ କିଛି ଦିନ ହେଲା ପୁଣି ସଂକ୍ରମଣ ବଢିବାରେ ଲାଗିଛି ।

Advertisment

ଚିନ୍ତାର ବିଷୟ ହେଉଛି ୧୦ଟି ରାଜ୍ୟରେ ଆର ଭାଲ୍ୟୁ ଅର୍ଥାତ ରିପ୍ରଡକସନ ଭାଲ୍ୟୁ ଜାତୀୟ ହାରଠାରୁ ଅଧିକ ରହିଛି । ଗୋଟିଏ ମାସ ତଳେ ଏହି ୧୦ରାଜ୍ୟରେ ଆର ଭାଲ୍ୟୁ ୦.୯୩ ଥିବା ବେଳେ ଏବେ ଏହା ୧କୁ ଟପିଯାଇଛି । ମଧ୍ୟପ୍ରଦେଶରେ ଆର ଭାଲ୍ୟୁ ସର୍ବାଧିକ ୧ଦଶମିକ ୩୧ ରହିଛି । ଅର୍ଥାତ ଏଠାରେ ଶହେ ଜଣ ଆକ୍ରାନ୍ତ ୧୩୧ଜଣଙ୍କୁ ସଂକ୍ରମିତ କରୁଛନ୍ତି । ହିମାଚଳ ପ୍ରଦେଶରେ ୧ଦଶମିକ ୩୦, ନାଗାଲାଣ୍ଡରେ ୧ ଦଶମିକ ୦୯ ଓ କେରଳ ଆର ଭାଲ୍ୟୁ ୧ଦଶମିକ ୦୬ ରହିଛି ।

କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ମଧ୍ୟ ୧ଉପରେ ରହିଛି ଆର ଭାଲ୍ୟୁ । ସାରା ଦେଶରେ ବର୍ତ୍ତମାନ ଆର ଭାଲ୍ୟୁ ୧ଦଶମିକ ୦୧ରହିଛି । କିଛି ଦିନ ତଳେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଦେଶରେ ଆର ଭାଲ୍ୟୁ ୧ଉପରେ ରହିବା ନେଇ ଚିନ୍ତା ପ୍ରକାଶ କରିଥିଲେ । କାରଣ ଏହା ତୃତୀୟ ଲହର ପାଇଁ ବାଟ ତିଆରି କରିବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ ।