୪୬ ଟି ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହୁଛି ସଂକ୍ରମଣ । ୧୦ଟି ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚେତାବନୀ । କହିଲେ ସତର୍କ ନରହିଲେ ଆସିପାରେ ତୃତୀୟ ଲହର ।

284

କନକ ବ୍ୟୁରୋ: ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ନିୟନ୍ତ୍ରଣକୁ ଆସିନାହିଁ । ଯାହାକୁ ନେଇ କେନ୍ଦ୍ର ସରକାର ଆଜି ରାଜ୍ୟ ଗୁଡିକୁ ସତର୍କବାଣୀ ଶୁଣାଇଛନ୍ତି । ୧୦ଟି ରାଜ୍ୟର ୪୬ଟି ଜିଲ୍ଲାରେ ଏବେ ବି କରୋନା ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହୁଛି । ଫଳରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଗୁଡିକୁ ଶକ୍ତ କୋଭିଡ ନିୟନ୍ତ୍ରଣ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସରକାର ଶନିବାର ୧୦ଟି ରାଜ୍ୟକୁ କରୋନା ସଂକ୍ରମଣ ପାଇଁ ଶକ୍ତ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ୧୦ଟି ରାଜ୍ୟ ମଧ୍ୟରେ ରହିଛି – କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ମଣିପୁର । ଏହି ରାଜ୍ୟ ଗୁଡିକର ୪୬ଟି ଜିଲ୍ଲାରେ ଏବେବି ୧୦ ପ୍ରତିଶତ ଉପରେ ରହୁଛି ସଂକ୍ରମଣ ହାର । ଫଳରେ ଏହା ଚିନ୍ତାଜନକ ବୋଲି ରାଜ୍ୟ ସରକାର ଗୁଡିକୁ ଚେତାଇଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ହାର ନିୟନ୍ତ୍ରଣକୁ ନଆସିଲେ ଏହା ଦେଶରେ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଗତ କିଛି ସପ୍ତାହ ହେବ ୪୬ ଟି ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହୁଛି ସଂକ୍ରମଣ ହାର ଏବଂ ଅନ୍ୟ ୫୩ଟି ଜିଲ୍ଲାରେ ୫-୧୦ ପ୍ରତିଶତ ଭିତରେ ରହୁଛି ସଂକ୍ରମଣ । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୪୬ଟି ରାଜ୍ୟରେ କରୋନା ସଂକ୍ରମଣ ୧୦ ପ୍ରତିଶତ ତଳକୁ କାହିଁକି ଖସୁ ନାହିଁ ସେନେଇ ଆଲୋଚନା କରାଯାଇଥିଲା । ଏହି ସବୁ ସ୍ଥାନରେ ୮୦ ପ୍ରତିଶତ ନୂଆ ସଂକ୍ରମଣ ଘରେ ସଙ୍ଗରୋଧରେ ରହୁଥିବା ଆକ୍ରାନ୍ତଙ୍କ ଠାରୁ ବ୍ୟାପୁଥିବା ଜଣାପଡିଛି । ଫଳରେ ଘରେ ସଙ୍ଗରୋଧରେ ରହୁଥିବା କରୋନା ଆକ୍ରାନ୍ତଙ୍କୁ ମନିଟର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି ।

ଏହାବ୍ୟତୀତ ୪୦ ରୁ ୬୦ ବର୍ଷ ବୟସ୍କ ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦେବାନେଇ ମଧ୍ୟ ଆଲୋଚନା କରାଯାଇଛି । ବୈଠକରେ ଆଇସିଏମଆର ଡିଜି ବଳରାମ ଭାର୍ଗବ ମଧ୍ୟ ଉପସ୍ଥିତ ଥିଲେ । ଦେଶରେ ଏବେବି କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନାହିଁ । ଫଳରେ ଯେଉଁ ସବୁ ରାଜ୍ୟରେ ସଂକ୍ରମଣ ୧୦ ପ୍ରତିଶତ ଉପରେ ରହୁଛି, ସେମାନେ ସତର୍କ ନରହିଲେ ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକାଶ କରିଛନ୍ତି ।