କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସକୁ ନେଇ ପୁଣି ତେଜିଛି କେନ୍ଦ୍ର-ରାଜ୍ୟ ବିବାଦ । କାରଣ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଆବାସ ପ୍ଲସରେ ସମସ୍ତ ୬ ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରାଜ୍ୟ ରୁରାଲ ହାଉସିଂ ପୋର୍ଟାଲରେ ଏହି ହିତାଧିକାରୀମାନଙ୍କ ତଥ୍ୟ ରହିଛି । ସେହିପରି ଫନି ବାତ୍ୟା ପରେ କରାଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

Advertisment

ପ୍ରତିଶ୍ରୁତି ଅନୁସାରେ ୧ ଲକ୍ଷ ୪୮ ହଜାର ସ୍ୱତନ୍ତ୍ର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ମଞ୍ଜୁର କରାଯାଉ । ଏଥିସହ ଆବାସ ପ୍ଲସ ୱିଣ୍ଡୋକୁ ନୂଆ ହିତାଧିକାରୀଙ୍କ ପାଇଁ ଖୋଲିବାକୁ ଚିଠିରେ ଲେଖାଯାଇଛି । କର୍ଣ୍ଣାଟକକୁ ଆବାସ ପ୍ଲସରେ ନୂଆ ହିତାଧିକାରୀ ସାମିଲ କରିବାକୁ ଜାନୁଆରୀ ୧୩ରେ ଅନୁମତି ମିଳିଥିଲା । କିନ୍ତୁ ଓଡିଶାରେ ବାରମ୍ବାର ଅନୁରୋଧ ସତ୍ୱେ ସୁଯୋଗ ଦିଆ ଯାଉନାହିଁ । ଏହା ଓଡିଶା ପ୍ରତି ଅନ୍ୟାୟ । କେବିକେ ଅଂଚଳକୁ ଅଣଦେଖା କରାଯାଉଛି ବୋଲି ଚିଠିରେ ଲେଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ମନ୍ତ୍ରୀ ପ୍ରତାପ ଜେନାଙ୍କ ଚିଠି ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ଓଡିଶାକୁ ୧୭ ଲକ୍ଷ ଘର ଦେଲେ । ଏହାପରେ ୭ ଥର ଆବାସ ପ୍ଲସ ପୋର୍ଟାଲ ଖୋଲାଗଲା । ସେତେବେଳେ କାହିଁକି ରାଜ୍ୟ ସରକାର ତଥ୍ୟ ଦେଲେନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଏବେ ଗ୍ରାମାଂଚଳରେ ପଂଚାୟତ ନିର୍ବାଚନ ଚାଲିଥିବାରୁ ଲୋକେ ବିଜେଡିକୁ ପ୍ରଶ୍ନ କରୁଛନ୍ତି । ଆଉ ସେଥିପାଇଁ ଚିଠି ଲେଖାର ନାଟକ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ।