କରୋନାର ନୂଆ ଭାରିଆଣ୍ଟକୁ ନେଇ ସାମ୍ନାକୁ ଆସିଲା ଭିନ୍ନ ମତ । ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ ।

203

କନକ ବ୍ୟୁରୋ : କରୋନାର ନୂଆ ଭାରିଏଂଟ ଏକ୍ସଇ ମୁମ୍ବାଇରେ ଚିହ୍ନଟ ହେବା ନେଇ ଖବର ପରେ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗୋଟିଏ ପଟେ ମୁମ୍ବାଇ ମହାନଗର ନିଗମ କହୁଛି ଯେ, ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ପାଖରେ ଏକ୍ସଇ ଭାରିଏଂଟ ଚିହ୍ନଟ ହୋଇଛି । ହେଲେ ଏହି କଥାକୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଖଣ୍ଡନ କରୁଛନ୍ତି । ଅନ୍ୟପଟେ ଓଡ଼ିଶା ସରକାର ସତର୍କ ଥିବା ବେଳେ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଡିଏମଇଟି ।

କରୋନାର ନୂଆ ଭାରିଏଂଟ ଏକ୍ସଇ ଭାରତରେ ଚିହ୍ନଟ ହୋଇଛି କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । କାରଣ ନୂଆ ଭାରିଏଂଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ମୁମ୍ବାଇ ମହାନଗର ନିଗମ କହିଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର ।

କରୋନାର ନୂଆ ଭାରିଏଂଟ ଏକ୍ସଇ ମୁମ୍ବାଇରେ ଚିହ୍ନଟ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପରେ ଏହାକୁ ସତ ବୋଲି ମାନିଥିଲା ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ । ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ଜଣେ ଫ୍ୟାସନ ଡିଜାଇନରଙ୍କ ଜେନମ ସିକ୍ୱେନସିଂ ପରେ ଏକ୍ସଇ ଭୂତାଣୁ ଚିହ୍ନଟ ହୋଇଥିବା ମୁମ୍ବାଇ ମହାନଗର ନିଗମ କର୍ତ୍ତୃପକ୍ଷ କହିଥିଲେ । ହେଲେ ଠିକରେ ପରୀକ୍ଷା କରାଯାଇ ନଥିବା କହି ଏହାକୁ ଖଣ୍ଡନ କରିଦେଇଛନ୍ତି କେନ୍ଦ୍ର ସରକାର । ସମ୍ପୃକ୍ତ ବ୍ୟକ୍ତିଙ୍କର ପୁଣିଥରେ ଜେନୋମ ସିକ୍ୱେନସିଂ କରାଯିବ ।

ତେବେ କରୋନାର ଏହି ଏକ୍ସଇ ଭାରିଏଂଟ ଖବର ପରେ ଓଡ଼ିଶା ସରକାର ସତର୍କ ରହିଛନ୍ତି । ଡିମଇଟି ରମାରମଣ ମହାନ୍ତି କହିଛନ୍ତି ଯେ, ଏହି ଭାରିଏଂଟକୁ ନେଇ ଏବେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଓମିକ୍ରନ ଠାରୁ ଅଧିକ ୧୦ ଗୁଣା ସଂକ୍ରାମକ କୁହାଯାଉଥିବା ଏହି ଏକ୍ସଇ ଭାରିଏଂଟ ପ୍ରଥମେ ଜାନୁଆରୀ ୧୯ରେ ବ୍ରିଟେନରେ ଚିହ୍ନଟ ହୋଇଥିଲା । ଯଦିଓ ଏହା ଅଧିକ ସଂକ୍ରାମକ, ହେଲେ କେତେ ସାଂଘାତିକ ଜଣାପଡ଼ିନାହିଁ । ତେବେ ବ୍ରିଟେନ ସ୍ୱାସ୍ଥ୍ୟ ଏଜେନ୍ସିର ମୁଖ୍ୟ ପରାମର୍ଶଦାତା କହିଛନ୍ତି ଯେ, ଅନ୍ୟ ଭାରିଏଂଟ ସମିଶ୍ରଣରେ ତିଆରି ହୋଇଥିବା ଏହି ପ୍ରଜାତି ବେଶୀ ସାଂଘାତିକ ନୁହେଁ ଓ ଶୀଘ୍ର ନଷ୍ଟ ହୋଇଯାଏ ।