ବଢିଲା ଏସପିଜି ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କ କାର୍ଯ୍ୟକାଳ, ଆଜି ନେଇଥାନ୍ତେ ଅବସର

142

କନକ ବ୍ୟୁରୋ : ଭାରତ ସରକାରଙ୍କ ତରଫରୁ ଏସପିଜି ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କ କାର୍ଯ୍ୟକାଳ ୧ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଅର୍ଥାତ ସେ ଆଗାମୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ । ଅରୁଣ ସିହ୍ନା କେରଳ କ୍ୟାଡରର ଅଧିକାରୀ । ସେ ଆଜି (ମେ’୩୧) ତାରିଖରେ ଅବସର ନେବାର ଥିଲା । ଏବେ ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି ।

ଅରୁଣ କୁମାର ସିହ୍ନାଙ୍କୁ ଅନୁବନ୍ଧିତ ଆଧାରରେ ଦ୍ୱିତୀୟଥର ପାଇଁ ନିଯୁକ୍ତି ଦିଆଯାଇଛି । ମନ୍ତ୍ରୀମଣ୍ଡଳର ନିଯୁକ୍ତି କମିଟି ତାଙ୍କୁ ପୁନଃ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ କୁହାଯାଇଛି କି, ଅରୁଣ କୁମାର ସିହ୍ନାଙ୍କ ଅବସର ତାରିଖ ୨୦୨୩ ମେ’୩୧ ତାରିଖ ଠାରୁ ଗୋଟିଏ ବର୍ଷ ପାଇଁ ଏସପିଜି ନିର୍ଦ୍ଦେଶକ ପଦରେ ଦ୍ୱିତୀୟ ଥର ପାଇଁ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସମୟରେ ତାଙ୍କୁ ଡିଜି ପାହ୍ୟାର ଦରମା ମିଳିବ ।

ସୂଚନା ଥାଉକି ପୂର୍ବ ସପ୍ତାହରେ ଗୃହ ମନ୍ତ୍ରଣାଳୟ ତରଫରୁ ଏସପିଜି ପାଇଁ ନୂଆ ନିୟମର ଅଧିସୂଚନା ଜାରି କରିଥିଲା । ଏଥିରେ ଏସପିଜିଙ୍କୁ ସହାୟତା ପାଇଁ ରାଜ୍ୟ ସରକାର, ସେନା, ସ୍ଥାନୀୟ ନାଗରିକ ପ୍ରାଧିକରଣ ଦ୍ୱାରା ମାନକ ବା ଏସଓପି ପ୍ରସ୍ତୁତ କରିବାକୁ ପାଇଁ କେନ୍ଦ୍ର ସରକାରଙ୍କୁ ଅଧିକାର ମିଳିଛି ।